ବୁଡ଼ ପକାଇବାକୁ କୁମ୍ଭମେଳାରେ ପହଞ୍ଚିଲେ ଷ୍ଟିଭ ଜବ୍ସଙ୍କ ବିଧବା ପତ୍ନୀ
ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ବିଧବା ପତ୍ନୀ ଲରେନ୍ ପାୱେଲ୍ ଜବସ୍ ଉର୍ଫ 'କମଲା' ମହା କୁମ୍ଭମେଳାରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାଗରାଜରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର ଯୋଜନା କରିଛନ୍ତି।
ଗଣମାଧ୍ୟମ ସଂସ୍ଥା ଏଏନ୍ଆଇ ଅନୁଯାୟୀ, ଗେରୁଆ ରଂଗର ଏକ ସାଲୱାର ସୁଟ୍ ପିନ୍ଧି ତାଙ୍କ ହାତରେ ରକ୍ଷାସୂତ୍ର ଏବଂ ବେକରେ ରୁଦ୍ରାକ୍ଷ ମାଳା ପକାଇ କମଳା ନଜର ଆସିଥିଲେ। ତାଙ୍କୁ ସ୍ବାଗତରେ ପାରମ୍ପରିକ ଗରମ ମସଲା ଚା ପରିବେଷଣ କରାଯାଇଥିଲା।
ଲରେନ୍ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ସେଠାରେ ଆଧ୍ୟାତ୍ମିକ ଶିବିରରେ ପହଞ୍ଚିଥିଲେ। ସେ କୁମ୍ଭରେ ରହିବେ ଏବଂ ଗଙ୍ଗାରେ ବୁଡ଼ ପକାଇବାର ମଧ୍ୟ ଯୋଜନା କରୁଛନ୍ତି ବୋଲି ଖବର ହସ୍ତଗତ ହୋଇଛି ।

ଲରେନ୍ ପାୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ 'କମଳା' ନାମ ପ୍ରଦାନ କରିଥିଲେ କୈଳାଶନନ୍ଦ ଗିରି। ଜାନୁଆରି ୨୦ ତାରିଖରେ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ୧୫ ପର୍ଯ୍ୟନ୍ତ ଏଠାରେ ରହି ତା'ପରେ ଆମେରିକା ଚାଲିଯିବେ।
ପ୍ରୟାଗରାଜରେ ପହଞ୍ଚିବା ପୂର୍ବରୁ ସେ ଶନିବାର ଦିନ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିଲେ। ତାଙ୍କ ସହିତ ନିରଞ୍ଜନୀ ଆଖଡ଼ାର ସ୍ୱାମୀ କୈଳାଶନନ୍ଦ ଗିରି ମହାରାଜ ମଧ୍ୟ ଥିଲେ। ସାଲୱାର ସୁଟ୍ ଏବଂ ମୁଣ୍ଡରେ ଓଢ଼ଣା ପକାଇ ଲରେନ୍ ମୁଖ୍ୟ ମନ୍ଦିର କ୍ଷେତ୍ର ବାହାରୁ ପ୍ରାର୍ଥନା କରିଥିଲେ। ସ୍ୱାମୀ କୈଳାଶନନ୍ଦ ବ୍ୟାଖ୍ୟା କରିଥିଲେ ଯେ ମନ୍ଦିର ପରମ୍ପରା ଅନୁଯାୟୀ, ଜଣେ ହିନ୍ଦୁ ବ୍ୟତୀତ ଅନ୍ୟ କେହି ଶିବଲିଙ୍ଗକୁ ସ୍ପର୍ଶ କରିପାରିବେ ନାହିଁ, ତେଣୁ ସେ ଗର୍ଭଗୃହ ବାହାରୁ ପ୍ରାର୍ଥନା କରିଥିଲେ।












Click it and Unblock the Notifications