ଏକ ସଭ୍ୟ ସମାଜରେ ହିଂସା ଓ ଲାଲ୍ ଆତଙ୍କର କୌଣସି ସ୍ଥାନ ନାହିଁ;ସ୍ୱରାଷ୍ଟ୍ର ମନ୍ତ୍ରୀ
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ଏକ ସଭ୍ୟ ସମାଜରେ ହିଂସା ଏବଂ ଲାଲ୍ ଆତଙ୍କର କୌଣସି ସ୍ଥାନ ନାହିଁ । ସେ କହିଛନ୍ତି, ସରକାର ନକ୍ସଲବାଦ ଦମନ କରିବାକୁ ସଙ୍କଳ୍ପ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ପୂରଣ କରାଯିବ । ଛତିଶଗଡ଼ ନବ ରାୟପୁରର ବଞ୍ଜାରି ଗ୍ରାମରେ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସେ ଏହା କହିଛନ୍ତି । ଏହି ଦୁଇଟି ଜାତୀୟ ପ୍ରତିଷ୍ଠାନ ପ୍ରାୟ ୪୦ ଏକର ଅଞ୍ଚଳରେ ନିର୍ମିତ ହେବ ।
ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ପଦକ୍ଷେପ ମାଧ୍ୟମରେ ଆଗାମୀ ଦିନରେ କେବଳ ଛତିଶଗଡ଼ ନୁହେଁ; ବରଂ ସମସ୍ତ କେନ୍ଦ୍ରୀୟ ଭାରତର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ବଳିଷ୍ଠ ଆଧାର ମିଳିବ ବୋଲି ଶ୍ରୀ ଶାହା କହିଛନ୍ତି । ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ନକ୍ସଲ୍ବାଦର ମୂଳୋତ୍ପାଟନ କରିବାପାଇଁ ତାଙ୍କର ସଙ୍କଳ୍ପକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଦୋହରାଇଛନ୍ତି । ଶ୍ରୀ ଶାହା' ଛତିଶଗଡ଼ ସରକାରଙ୍କର ମାଓବାଦୀମାନଙ୍କ ପାଇଁ ଆତ୍ମସମର୍ପଣ ନୀତିର ପ୍ରଶଂସା କରିଛନ୍ତି । ଏହି ନୀତିର ସୁଯୋଗ ନେଇ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ସହ ଏକ ନୂତନ ଛତିଶଗଡ଼ ନିର୍ମାଣ ଅଂଶଗ୍ରହ କରିବାକୁ ମାଓବାଦୀମାନଙ୍କୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି ।

ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାୟପୁରରେ ୭ଟି ମାଓବାଦୀ ପ୍ରଭାବିତ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରୁଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପୁଲିସ୍ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି ।












Click it and Unblock the Notifications