ନଭେମ୍ବର 15 ପର୍ଯ୍ୟନ୍ତ ବଢିଲା ଅନିଲ ଦେଶମୁଖଙ୍କ ନ୍ୟାୟିକ ହେପାଜତ ଅବଧି, ପୁଅ ହୃଷିକେଶଙ୍କ ଆବେଦନ ଉପରେ ଶୁଣାଣି ମଧ୍ୟ ସ୍ଥଗିତ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କୁ ନଭେମ୍ବର 12 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ, ଯାହାକୁ PMLA କୋର୍ଟ ଶୁକ୍ରବାର ଦିନ ନଭେମ୍ବର 15 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ଗତ ସପ୍ତାହରେ ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଥିଲା, ଏହା ପରେ ତାଙ୍କୁ PMLA କୋର୍ଟ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ, କିନ୍ତୁ ହାଇକୋର୍ଟ ସେହି ଆଦେଶକୁ ବାତିଲ କରି ଅନିଲ ଦେଶମୁଖଙ୍କୁ ନଭେମ୍ବର 12 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ ।

ଶୁକ୍ରବାର ଦିନ କୋର୍ଟରେ ଶୁଣାଣି ବେଳେ ଅନିଲ ଦେଶମୁଖଙ୍କ ଓକିଲ କହିଛନ୍ତି ଯେ ହାଇକୋର୍ଟ ତାଙ୍କୁ ନଭେମ୍ବର 12 ପର୍ଯ୍ୟନ୍ତ ହେପାଜତକୁ ପଠାଇଥିଲେ, ତେବେ ଏହି ନିମ୍ନ ଅଦାଲତ ଏହି ନିଷ୍ପତ୍ତିରେ ବାଧ୍ୟତାମୂଳକ କି ? ଅଦାଲତର ପ୍ରକ୍ରିୟା ଶେଷ ହେବା ପରେ ଜଷ୍ଟିସ୍ ଏଚ୍ଏସ୍ ସାଥଭାଇ ଅନିଲ ଦେଶମୁଖଙ୍କ ହେପାଜତକୁ ନଭେମ୍ବର 15 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହା ବ୍ୟତୀତ ମନି ଲଣ୍ଡରିଂ ମାମଲାରେ ଅନିଲ ଦେଶମୁଖଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ଗିରଫ କରିବା ପୂର୍ବରୁ ଜାମିନ ଆବେଦନ ଉପରେ ଶୁଣାଣି ମଧ୍ୟ ନଭେମ୍ବର 20 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ସୂଚନାଯୋଗ୍ୟ, 100 କୋଟି ଟଙ୍କା ବଟି ଆଦାୟ ମାମଲାରେ ଅନିଲ ଦେଶମୁଖ ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଏନେଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ସିଏମ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଅନିଲ ଦେଶମୁଖ ଅନ୍ୟ ଜଣେ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ମୁମ୍ବାଇର ପବ୍ ଏବଂ ବାରରୁ 100 କୋଟି ଟଙ୍କା ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ପରେ ସିବିଆଇ ଏକ ମାମଲା ରୁଜୁ କରିଥିଲା ଏବଂ ପରେ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏଥି ସହ ଏହି ଅଭିଯୋଗ ଆଣିଥିବା ପରମବାର ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି ।