ପୁଅ ପାଇଁ ସଫ୍ଟୱେର ଇଞ୍ଜିନିୟରରୁ ଗଧ ବ୍ୟବସାୟୀ ହେଲେ ବାପା
ଆନ୍ଧ୍ରପ୍ରଦେଶର ସଫ୍ଟୱେର ଇଞ୍ଜିନିୟର କିରଣ ଚାକିରୀ ଛାଡି ପାଳୁଛନ୍ତି ଗଧ । ଆଉ ଏଥିରୁ ସେ ମାସିକ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି ।
ଅମରାବତୀ: ପିଲା ବେଳୁ ମାତାପିତା ପାଠପଢାକୁ ନେଇ ଚିନ୍ତାରେ ରୁହନ୍ତି । କେଉଁ ପାଠ ପଢେଇଲେ ସନ୍ତାନର ଭବିଷ୍ୟତ ଉଜ୍ଜଳ ହେବ ସେକଥା ପୂର୍ବରୁ ଯୋଜନା ମଧ୍ୟ କରୁଛନ୍ତି । ଆଉ ଆଜିକାଲି ସଫ୍ଟୱେର ଇଞ୍ଜିନିୟର ହେବକୁ ସମସ୍ତିଙ୍କର ଆଗ୍ରହ। ଦେଶ କିମ୍ବା ଦେଶ ବାହାରେ ଅଧିକ ଦରମାରେ ଚାକିରୀ ମିଳିଥାଏ । କିନ୍ତୁ ଆନ୍ଧ୍ରପ୍ରଦେଶର ସଫ୍ଟୱେର ଇଞ୍ଜିନିୟର କିରଣ ଚାକିରୀ ଛାଡି ପାଳୁଛନ୍ତି ଗଧ । ଆଉ ଏଥିରୁ ସେ ମାସିକ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ଆପଣ ଯଦି ଯେଉଁ କାମକୁ ଭିନ୍ନ ଏବଂ ସ୍ବଇଚ୍ଛାରେ କରିବେ ତେବେ ନିଶ୍ଚୟ ସଫଳ ହେବେ ବୋଲି କହିଛନ୍ତି ଇଞ୍ଜିନିୟର ଜଣକ ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦବରୀ ଜିଲ୍ଲାର ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି କିରଣ । ସେ ପରିବାର ସହିତ ଆନ୍ଧ୍ରପ୍ରଦେଶରେ ବାସ କରନ୍ତି । କିରଣଙ୍କ ପୁତ୍ର ଶ୍ବାସ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ଅନେକ ଡାକ୍ତରଙ୍କୁ ଭେଟିଛନ୍ତି କିରଣ । ପୁଅକୁ ଗଧ କ୍ଷୀର ଦେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ । ଏହାପରେ ତୁରନ୍ତ ପୁଅକୁ ଗଧ କ୍ଷୀର ଦେଇଥିଲେ କିରଣ।
ଅନେକ ଦିନ ଏପରି କରିବା ଦ୍ବାରା ପୁତ୍ର ସୁସ୍ଥ ହେଉଥିବା ସେ ଜାଣିବାକୁ ପାଇଥିଲେ । କିନ୍ତୁ ଅଧିକ ଦାମର ଗଧ କ୍ଷୀର ପ୍ରତିଦିନ କିଣିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଲା । ଶେଷରେ ସେ ଘରେ ଗଧ ପାଳନ ନେଇ ନିଷ୍ପତ୍ତି ନେଇଥିଲେ । ଏହାପରେ ଗୁଜୁରାଟ, ଉତ୍ତରପ୍ରଦେଶ ଓ ବିହାର ଆଦି ରାଜ୍ୟରୁ ଗଧ କିଣିବା ପାଇଁ ଯାଇଥିଲେ କିରଣ ।
ଆଉ ଧିରେ ଧିରେ ଗୋଟିଏ ଦୁଇଟି ଗଧରୁ ବର୍ତ୍ତମାନ ଶହେରୁ ଅଧିକ ଗଧକୁ ପାଳନ କରୁଛନ୍ତି ଏହି ବ୍ୟକ୍ତି । 10 ଏକର ଜମିରେ ଆରମ୍ଭ କରିଥିଲେ ଗଧ ଫାର୍ମ । ଏହାର ନାମ ସେ 'ଅକ୍ଷୟ ଡଙ୍କି ଫାର୍ମ' ବୋଲି ରଖିଛନ୍ତି । ଗଧ କ୍ଷୀର ଲିଟର ପିଛା 5ରୁ 7 ହଜାର ଟଙ୍କା ବୋଲି ଜଣାପଡ଼ିଛି । ସେ ଏହାକୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଉଛନ୍ତି। ତେବେ ଗଧ କ୍ଷୀର ପିଇବା ଦ୍ବାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ସହିତ ଅନେକ ରୋଗରୁ ଉପଶମ ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।












Click it and Unblock the Notifications