ଚାଲିଥିଲା ଶୁଣାଣି ଘଟିଲା ଅଘଟଣ ; ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ
ମୁଖ୍ୟ ବିଚାତପତିଙ୍କୁ ଜୋତା ମାଡ଼। ଶୁଣାଣି ଚାଲିଥିବା ବେଳେ ଜୋତା ମାଡ଼ କଲେ ଓକିଲ। ତେବେ ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିବା ଜଣାଯାଇଛି। କୁହାଯାଉଛି ଯେ, ଜଣେ ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ। ଅଭିଯୋଗ ହୋଇଛି ଯେ, ଓକିଲ ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଜୋତାଟି ବି.ଆର. ଗଭାଇଙ୍କ ଟେବୁଲରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲା।

ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଓକିଲଙ୍କୁ ତୁରନ୍ତ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ କୋର୍ଟରୁମ୍ରୁ ବାହାରକୁ ନିଆଯାଉଥିବା ବେଳେ ସେ କହିଥିଲେ, ସନାତନର ଅପମାନ ସହିବୁ ନାହିଁ। ତେବେ ଏଭଳି ସେ କାହିଁକି କହିଥିଲେ, ତାହା ସାମ୍ନାକୁ ଆସିନାହିଁ। ଜଷ୍ଟିସ ଗଭାଇ ସମଗ୍ର ଘଟଣା ଘଟିବା ସମୟରେ ଶାନ୍ତ ରହିଥିଲେ ଏବଂ କୋର୍ଟ କାର୍ଯ୍ୟ ଯଥାରୀତି ଜାରି ରହିଥିଲା। ସେ କହିଥିଲେ ଯେ, "ଏହି ଜିନିଷଗୁଡ଼ିକ ମୋ ଉପରେ ପ୍ରଭାବ ପକାଏ ନାହିଁ।"
ଘଟଣା ଘଟିବା ପରେ ଉପସ୍ଥିତ ଅନ୍ୟ ଓକିଲ ଏବଂ ମହକିଲମାନଙ୍କୁ ବି.ଆର. ଗଭାଇ କହିଥିଲେ, "ଏସବୁ ଦେଖି ବିଚଳିତ ହୁଅନ୍ତୁ ନାହିଁ। ମୁଁ ବିଚଳିତ ହେଉନାହିଁ। ଏହି ଜିନିଷଗୁଡ଼ିକ ମୋତେ ପ୍ରଭାବିତ କରେ ନାହିଁ।"
ବରିଷ୍ଠ ଆଇନବିତ୍ ଇନ୍ଦିରା ଜୟସିଂ କହିଛନ୍ତି ଯେ, "ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ। ଆଇନଜୀବୀଙ୍କ ନାମ ଉଲ୍ଲେଖ କରାଯିବା ଉଚିତ ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ଭାରତର ସୁପ୍ରିମକୋର୍ଟ ଉପରେ ଏକ ସ୍ପଷ୍ଟ ଜାତିଗତ ଆକ୍ରମଣ ପରି ମନେ ହେଉଛି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକ ମିଳିତ ପ୍ରେସ୍ ବିବୃତି ଜାରି କରି ଏହାକୁ ନିନ୍ଦା କରିବା ଉଚିତ।"












Click it and Unblock the Notifications