କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆସାମ ଗସ୍ତ, ଜନଗଣନା ନେଇ କଲେ ବଡ଼ ଘୋଷଣା
ଦେଶର ପରବର୍ତ୍ତୀ ଜନଗଣନା 'ଇ-ଜନଗଣନା' ହେବ। ଜନଗଣନାକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ପାଇଁ ସମୟର ଆବଶ୍ୟକତା ବୋଲି କହିଛନ୍ତି ଅମମିତ ଶାହା ।
ନୂଆଦିଲ୍ଲୀ: ଆସାମ ଗସ୍ତରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆସାମରେ ଆୟୋଜିତ ସଭାରେ କରିଛନ୍ତି ଏକ ବଡ ଘୋଷଣା । ସେ କହିଛନ୍ତି ଯେ, କରୋନା ମହାମାରୀ ହେତୁ ଜନଗଣନା ପ୍ରକ୍ରିୟା ବିଳମ୍ବ ହୋଇଛି। ଦେଶର ପରବର୍ତ୍ତୀ ଜନଗଣନା 'ଇ-ଜନଗଣନା' ହେବ। ଜନଗଣନାକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ପାଇଁ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି।

ଏହା ଆଗାମୀ ୨୫ ବର୍ଷ ପାଇଁ ବିକାଶ ନୀତି ଗଠନ କରିବ। ୨୦୨୪ ସୁଦ୍ଧା ଦେଶର ସମସ୍ତ ଜନ୍ମ ଏବଂ ମୃତ୍ୟୁ, ଜନଗଣନା ସହିତ ସଂଯୁକ୍ତ ହେବ, ଯାହା ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବ। ଶିଶୁଟିଏ ଜନ୍ମ ହେବା ପରେ ସବିଶେଷ ତଥ୍ୟ ରଖା ଯିବା ସହ ୧୮ ବର୍ଷ ବୟସ ହେବା ପରେ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ । ମୃତ୍ୟୁ ପରେ ନାମ ହଟାଯିବ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଟେକ୍ନଲୋଜି ସାହାଯ୍ୟରେ ଜନଗଣନାକୁ ଅଧିକ ସଠିକ, ବୈଜ୍ଞାନିକ ଏବଂ ବହୁମୁଖୀ କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଜନଗଣନା ଦ୍ୱାରା ଅଙ୍କିତ ବିକାଶ ମାନଚିତ୍ର ଉପରେ ବଜେଟର ଯୋଜନା ପ୍ରସ୍ତୁତ ହୁଏ, ତେବେ ସମସ୍ୟାଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମାଧାନ ହେବ।
ଇ-ଜନଗଣନା ଦ୍ଵାରା ପ୍ରାୟ ୫୦ ପ୍ରତିଶତ ଲୋକ ନିଜ ନିଜ ନିଜର ତଥ୍ୟ ପୂରଣ କରିବାକୁ ସକ୍ଷମ ହେବେ। ସେମାନେ ନିଜେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ତଥ୍ୟକୁ ଇ-ଫର୍ମରେ ପୂରଣ କରିବେ। ଏହା ଉଭୟ କମ୍ପ୍ୟୁଟର ଓ ମୋବାଇଲ ଆପରେ ଉପଲବ୍ଧ ହେବ। ତେବେ ଇ ଜନଗଣନା କେବେଠାରୁ ଆରମ୍ଭ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଏହି ବ୍ୟବସ୍ଥାରେ କମ ରାଜସ୍ୱ ଖର୍ଚ୍ଚ ହେବ ଓ ଶତ ପ୍ରତିଶତ ସଠିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।












Click it and Unblock the Notifications