ଥିଏଟରର ମ୍ୟାନେଜମେଣ୍ଟର ବଡ ଦାବି , କହିଲେ ଅଭିନେତା ଆସୁଛନ୍ତି ବୋଲି ଆଗରୁ ପୋଲିସ ପାଇଥିଲା ସୂଚନା
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବା, ତଳ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇବା ଓ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିବା, ଏ ତମାମ ନାଟକୀୟ ଘଟଣାକ୍ରମ ଏକ ରୋଚକ ମୋଡ଼କୁ ଆସିଛି। ହାଇଦ୍ରାବାଦର ଯେଉଁ ସନ୍ଧ୍ୟା ଥିଏଟରରେ ଦଳଚକଟା ଘଟଣାରେ ପୁଷ୍ପାରାଜଙ୍କୁ ଗିରଫ କରାଯାଇଥିଲା, ସେହି ଥିଏଟରର ମ୍ୟାନେଜମେଣ୍ଟ ଦାବି କରିଛି ଯେ ପୁଷ୍ପା-୨ର ପ୍ରିମିୟର ସ୍କ୍ରିନିଂ ପାଇଁ ଅଭିନେତା ଆସିବାର ଦୁଇ ଦିନ ପୂର୍ବରୁ ସେମାନେ ସୁରକ୍ଷା ପାଇଁ ପୁଲିସକୁ ସୂଚନା ଦେଇଥିଲେ।

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ଓ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଦଳାଚକଟାକୁ ନେଇ ଏବେ ଥିଏଟର ମ୍ୟାନେଜମେଣ୍ଟ ଓ ପୁଲିସ ପ୍ରଶାସନ ମଧ୍ୟରେ ବିବାଦ ଦେଖାଦେଇଛି। ଥିଏଟର ମ୍ୟାନେଜମେଣ୍ଟ ଦାବି କରିଛି ଯେ ଅଭିନେତା ଆସିବାର ଦୁଇ ଦିନ ପୂର୍ବରୁ ସେମାନେ ପୁଲିସକୁ ଏନେଇ ସୂଚନା ଦେଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଥିଲେ। ଥିଏଟର ମ୍ୟାନେଜମେଣ୍ଟ କହିବା ଅନୁସାରେ ପୁଷ୍ପା-୨ ପ୍ରିମିୟର ଶୋ ସମୟରେ ଅଲ୍ଲୁ ଅର୍ଜୁନ ଆସିବା ବିଷୟରେ ସେମାନେ ପୁଲିସକୁ ଲିଖିତ ସୂଚନା ଦେଇଥିଲେ। ଏହା ସତ୍ତ୍ୱେ ପୁଲିସ ଏ ବାବଦରେ କୌଣସି ଠୋସ୍ ପଦକ୍ଷେପ ନେଇନଥିଲା କିମ୍ବା ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲା।
ପୁଲିସକୁ ଥିଏଟରରୁ ଯାଇଥିବା ଚିଠି ମଧ୍ୟ ଏବେ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଫିଲ୍ମ ଦେଖିବାକୁ ଅଲ୍ଲୁ ଅର୍ଜୁନ ଓ ପ୍ରଡକ୍ସନ ୟୁନିଟର ଅନ୍ୟ ସମସ୍ତ ସଦସ୍ୟ ଏବଂ ଭିଆଇପିମାନେ ଆସୁଛନ୍ତି। ତେଣୁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିପାରେ। ତେଣୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସନ୍ଧ୍ୟା ଥିଏଟର ପକ୍ଷରୁ ପୁଲିସକୁ ଏହି ଚିଠିରେ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ, ଥିଏଟରକୁ ଅଭିନେତାଙ୍କ ଆସିବା ସମ୍ପର୍କରେ କୌଣସି ଚିଠି ବା ସୂଚନା ଦିଆଯାଇନଥିବା ପୁଲିସ କହିଛି।












Click it and Unblock the Notifications