ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ, ନିର୍ବାଚନ କମିଶନର
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ପ୍ରସଙ୍ଗରେ ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ ଯେ, "ଭୋଟ ଚୋରି ବିଷୟରେ ମୁଁ ଯାହା କହୁଛି, ତାହା ମୁଁ ଅତ୍ୟନ୍ତ ଦାୟିତ୍ୱର ସହିତ କହୁଛି। ମୋ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି। ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମ ବାଦ ଦିଆଯାଇଛି। କର୍ଣ୍ଣାଟକର ଅଲନ୍ଦରେ କେହି ଜଣେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ କରିଦେଇଥିଲା। ୨୦୨୩ ନିର୍ବାଚନରେ ଅଲନ୍ଦରେ ମୋଟ କେତେ ଭୋଟ୍ ଡିଲିଟ୍ କରାଯାଇଥିଲା ତାହା ଆମେ ଜାଣି ନାହୁଁ। ଏହି ସଂଖ୍ୟା ୬୦୧୮ ଅପେକ୍ଷା ବହୁତ ଅଧିକ ହୋଇପାରେ।"

ରାହୁଲଙ୍କ ଏଭଳି ଦାବିକୁ ଏବେ ଖଣ୍ଡନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ଇସିଆଇ)। ରାହୁଲ ଗାନ୍ଧୀଙ୍କ ଭୋଟର ତାଲିକା ହେରଫେର ଅଭିଯୋଗକୁ ଖାରଜ କରି ଏହାକୁ ଭୁଲ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ଇସିଆଇ। ଏହା ସହିତ ଅନଲାଇନରେ ଭୋଟ ଡିଲିଟ୍ କରାଯାଇପାରିବ ନାହିଁ ବୋଲି ଗୁରୁତ୍ୱାରୋପ କରିଛନ୍ତି।
ଇସିଆଇ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ, "ପ୍ରଭାବିତ ବ୍ୟକ୍ତିଙ୍କୁ ନିଜ କଥା ରଖିବାର ସୁଯୋଗ ନଦେବା ପର୍ଯ୍ୟନ୍ତ କିଛି ହଟାଯାଇପାରିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକର ଅଲନ୍ଦରେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ ନେଇ ରାହୁଲ କହିଛନ୍ତି। ଏହାକୁ ନିର୍ବାଚନ କମିଶନ ଚିହ୍ନଟ କରି ସାମ୍ନାକୁ ଆଣିଥିଲା ଏବଂ ଏହାର ତଦନ୍ତ କରିବାକୁ ଏତଲା ମଧ୍ୟ ଦିଆଯାଇଥିଲା।"
ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦାବି କରିଥିଲେ ଯେ, "ମୁଖ୍ୟ ନିର୍ବାଚନ କମିଶନର ଗ୍ୟାନେଶ କୁମାର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଇସିଆଇ କହିଛି ଯେ, "ନାଁ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ। ସେ ମାତ୍ର ଛଅ ମାସ ପୂର୍ବରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ବର୍ଷ ହୋଇଥିବା ଅନିୟମିତତା ଅଭିଯୋଗ ପାଇଁ ତାଙ୍କୁ ସିଧାସଳଖ ଦାୟୀ କରିବା ଅନୁଚିତ୍।"












Click it and Unblock the Notifications