ମହାରାଷ୍ଟ୍ର ମହାନାଟକ: ଶରଦ ପାୱାରଙ୍କୁ ହଟେଇ ଅଜିତ ପାୱାର ନୂଆ ଏନସିପି ଅଧ୍ୟକ୍ଷ
ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିର ମହାନାଟକରେ ଆସିଛି ନୂଆ ମୋଡ଼ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖା ଦେଇଥିବା ବିସ୍ଫୋରଣ ଏବେ ଆଉ ଗୋଟିଏ ପାଦ ଆଗେଇ ଯାଇଛି । ଆଜି ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏକ ବଡ଼ି ନିଷ୍ପତ୍ତି ନିଆଯାଇଛି । ଏନସିପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ପାୱାର । ଏଥିସହିତ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପକ୍ଷରୁ ହଟାଇ ଦେଇଛନ୍ତି ଅଜିତ ।
ତେବେ ଅଜିତ ପାୱାରଙ୍କ ବୈଠକରେ ୩୧ ବିଧାୟକ ଏବଂ ୪ ଏମଏଲସି ଯୋଗ ଦେଇଥିବାବେଳେ, ଶରଦ ପାୱାରଙ୍କ ବୈଠକରେ ମାତ୍ର ୧୩ ବିଧାୟକ ସାମିଲ ହେଇଛନ୍ତି । ତେବେ ୯ ଜଣ ବିଧାୟକ କୌଣସି ବି ବୈଠକରେ ସାମିଲ ହେଇନାହାଁନ୍ତି । ଏହାରି ଭିତରେ କିନ୍ତୁ ଅଜିତ ପାୱାରଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶରଦ ପାୱାରଙ୍କ ଜାଗାରେ ଅଜିତ ପାୱାରଙ୍କୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ଗତ ୨ ତାରିଖରେ ଅଜିତ ତାଙ୍କର ସହଯୋଗୀ ବିଧାୟକଙ୍କ ସହିତ ବିଜେପି-ଏକନାଥ ଶିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ । ଅଜିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ କିଛି ବିଧାୟକ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ଦଳ ଉପରେ କାହାର ମାଲିକାନା ରହିବ ସେ ନେଇ ଅଜିତ-ଶରଦଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ରାଜ୍ୟ ବିଧାନସଭାରେ ଏନସିପିର ମୋଟ ୫୩ ଜଣ ବିଧାୟକ ରହିଥିବା ବେଳେ ଦଳ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ହେଲେ ୩୬ ବିଧାୟକଙ୍କର ସମର୍ଥନ ଜରୁରୀ ରହିଥିଲା ।
ସେପଟେ ଶରଦ ପାୱାର ନିଜ ବୈଠକରେ କହିଛନ୍ତି ଯେ, ଯେଉଁ ଲୋକମାନେ ବିଜେପି ସହ ଯାଇଛନ୍ତି, ସେମାନଙ୍କ ଇତିହାସ ମନେ ରଖିବା ଉଚିତ୍ । ପଞ୍ଜାବରେ ଅକାଳୀ ଦଳ ଏବେ ବିଜେପି ସହ ନାହିଁ । ବିହାର, ଆନ୍ଧ୍ରପ୍ରଦେଶରେ ବିଜେପି ସରକାରରୁ ବାହାରିଲା ଏବଂ ମେଣ୍ଟ ଭାଙ୍ଗିଲା । ଯେତେବେଳେ ବି ଯିଏ ବିଜେପି ସହ ଯାଇଛନ୍ତି ସେମାନେ ବାହାରିଛନ୍ତି । ବିଜେପି ସବୁବେଳେ ନିଜ ସହଯୋଗୀ ଦଳକୁ ବର୍ବାଦ କରିଦିଏ ବୋଲି ଶରଦ କହିଛନ୍ତି ।












Click it and Unblock the Notifications