Air India Plane Crash : କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ?
ଉଡ଼ାଣର ମାତ୍ର ୫ ମିନିଟରେ କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ? କାହିଁକି ବିମାନ ଉଡ଼ିବା ମାତ୍ରେ ମେ-ଡେ କଲ୍ କରିଥିଲେ ପାଇଲଟ୍ ?
ବିମାନଟି ୬୨୫ ଫୁଟ ଉପରକୁ ଉଠିବା ପରେ ଖସିବା ଆରମ୍ଭ କରିଥିଲା । ବିମାନ ଚଳାଚଳ ଦାୟିତ୍ବରେ ଥିବା ଦୁଇ ପାଇଲଟ ବେଶ୍ ଅଭିଜ୍ଞ ଥିଲେ। ବିଶେଷଜ୍ଞଙ୍କ ଆଶଙ୍କା ଅନୁସାରେ, ପାୱାର ଫେଲ୍ୟୁଅର ଯୋଗୁ ବିମାନର ଦୁଇଟିଯାକ ଇଞ୍ଜିନ୍ କାମ କରିବା ବନ୍ଦ କରିଦେଇଥାଇପାରେ । କିନ୍ତୁ ଉଡ଼ାଣ ଭରିବା ପରେ ପାଓ୍ୱାର ଫେଲ୍ୟୁଅର୍ କୋଚିତ୍ ଦେଖାଦେଇଥାଏ । ଅନ୍ୟପଟେ ପକ୍ଷୀମାଡ଼ ଯୋଗୁ ମଧ୍ୟ ବଡ଼ ଅଘଟଣ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ସାଧାରଣତଃ ବିମାନଗୁଡ଼ିକ ୫୦ ଫୁଟ ଉପରକୁ ଉଠିବା ପରେ ଲ୍ୟାଣ୍ଡିଂ ଗିୟର୍ ବନ୍ଦ କରିଦିଆଯାଏ । କିନ୍ତୁ କ୍ରାସ୍ ହୋଇଥିବା ଫ୍ଲାଇଟ ୬୦୦ ଫୁଟ ଉପରକୁ ଯାଇଥିଲେ ମଧ୍ୟ କାହିଁକି ଲ୍ୟାଣ୍ଡିଂ ଗିୟର ଖୋଲା ଥିଲା ? ଅନ୍ୟପକ୍ଷରେ ଲୋଡ୍ ଫ୍ୟାକ୍ଟର ମଧ୍ୟ ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ତାହା ବ୍ଲାକ୍ ବକ୍ସ ମିଳିବା ପରେ ଜଣାପଡ଼ିବ ।ସୂଚନାଯୋଗ୍ୟ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣଙ୍କୁ ଛାଡି ଅନ୍ୟ ସମସ୍ତକର ମୃତ୍ୟୁ ଘଟିଛି। ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି। ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଛି।ଅନ୍ୟପକ୍ଷରେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଆରମ୍ଭ ହୋଇଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ପକ୍ଷରୁ ତଦନ୍ତ କରାଯାଉଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ବିଭିନ୍ନ ବିଭାଗର ଏକ୍ସପର୍ଟଙ୍କୁ ନେଇ ଗଠନ ହୋଇଥିବା ଏହି କମିଟି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ବିମାନ ଚଳାଚଳ କ୍ଷେତ୍ରରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଭବିଷ୍ୟତରେ ଯେଭଳି ଆଉ ଅହମ୍ମଦାବାଦ ଭଳି ଦୁର୍ଘଟଣା ନଘଟିବ ସେଥିପ୍ରତି ଖସଡା ପ୍ରସ୍ତୁତ କରିବ। ଅନ୍ୟପକ୍ଷରେ ନିଜ ଆଡୁ ୟୁକେ ଏବଂ ଆମେରିକା ନିଜ ନିଜର ଯାଂଚ୍ ଟିମ୍ ଭାରତକୁ ପଠାଇଛନ୍ତି। ଏହି ଟିମ୍ ପ୍ଲେନ୍ କ୍ରାସ୍ ନେଇ ବିମାନ ଚଳାଚଳ ବିଭାଗର ତଦନ୍ତରେ ସହଯୋଗ କରିବେ।












Click it and Unblock the Notifications