ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ
ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ବିସ୍ଫୋରଣ ଘଟଣାକୁ ମାସେ ବିତିଛି। ଏହି ସମୟ ମଧ୍ୟରେ ଏୟାର ଇଣ୍ଡିଆର ଅନେକ ବିମାନ ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କାରଣ ପାଇଁ ଜରୁରୀକାଳିନ ଅବତରଣ କରିଛି। ବାରମ୍ବାର ଦେଖାଯାଉଥିବା ତ୍ରୁଟି ପାଇଁ ବିବାଦରେ ଥିବା ଏୟାର ଇଣ୍ଡିଆକୁ ନେଇ ଏବେ ଆଉ ଏକ ଖବର ଆସିଛି। କୋଚିରୁ ମୁମ୍ବାଇ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ ରନ୍ୱେରୁ ଖସିଯାଇଥିବା ଜଣାଯାଇଛି। ଏଥିପାଇଁ ବିମାନର ଅନେକ ଭାଗ କ୍ଷତିଗ୍ରସ୍ତ ହେବା ସହ ମରାମତି ପାଇଁ ବିମାନକୁ ଏବେ ଉଡ଼ାଣରୁ ନିବୃତ୍ତ ରଖାଯାଇଛି।

ବିମାନ କମ୍ପାନିର ଏକ ସରକାରୀ ବିବୃତି ଅନୁଯାୟୀ, ସହର ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ପାଇଁ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ସକାଳ ୯.୨୭ରେ ଏଆଇ ୨୭୪୪ ଅବତରଣ କରୁଥିବା ବେଳେ ରନ୍ୱେ ଓଦା ଥିବାରୁ ବିମାନର ଚକା ଖସିଥିଲା। ଏହା ଫଳରେ ବିମାନଟି ରନ୍ୱେରୁ ବାହାରକୁ ଚାଲିଯାଇଥିଲା।
ହେଲେ ପାଇଲଟ୍ ବିମାନକୁ ରୋକିବାରେ ସଫଳ ହୋଇଥିଲେ। ଏନେଇ ସୂଚନା ମିଳିବା ପରେ ତୁରନ୍ତ ସେଠାରେ ଏମରଜେନ୍ସି ରେସପନ୍ସ ଟିମ୍ ପହଞ୍ଚି ବିମାନକୁ ପାର୍କିଂ ପର୍ଯ୍ୟନ୍ତ ଟାଣି ଟାଣି ଆଣିଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଓହ୍ଲାଇ ଦିଆଯିବା ପରେ ବିମାନରେ ଏବେ ଯାଞ୍ଚ କାମ ଆରମ୍ଭ ହୋଇଛି।
ଯେଉଁ ସବୁ ଫଟୋ ସାମ୍ନାକୁ ଆସିଛି, ସେଥିରେ ବିମାନ ଇଞ୍ଜିନ ଓ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି।












Click it and Unblock the Notifications