ମୋଦୀଙ୍କ ଉତ୍ତରାଧିକାରୀ ପାଇଁ ଶାହା ସବୁଠୁ ପସନ୍ଦଯୋଗ୍ୟ; ପଛରେ ପଡିଲେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଦେଶରେ ଯଦି ଏବେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ତେବେ କଂଗ୍ରେସ ୧୦୦ରୁ ଅଧିକ ଆସନରେ ବିଜୟୀ ହେବ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୯୯ଟି ଆସନ ପାଇଥିବାବେଳେ ବର୍ତ୍ତମାନ ସମୟରେ ଏହାର ସ୍ଥିତିରେ ଉନ୍ନତି ଆସିଥିବା ନେଇ ଇଣ୍ଡିଆ ଟୁଡେର ମୁଡ ଅଫ୍ ଦି ନେସନ ସର୍ଭେରେ କୁହାଯାଇଛି ।
ସର୍ଭେରେ ଦର୍ଶାଯାଇଛି ଯେ ଏବେ ଲୋକସଭା ନିର୍ବାଚନ ହେଲେ ବିଜେପି ୨୪୪ଟି ଆସନରେ ବିଜୟୀ ହେବ। ସେହିପରି ବିଜେପି ନେତୃତ୍ବ ଏନଡିଏର ଆସନ ସଂଖ୍ୟାରେ ୬ ବୃଦ୍ଧିପାଇବ। ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନ ପାଇଥିବାବେଳେ ଏନଡିଏ ୨୯୩ଟି ଆସନ ପାଇଛି। ସର୍ଭେରେ କଂଗ୍ରେସ ସ୍ଥିତିରେ ଉନ୍ନତି ଆସିବା ପୂର୍ବକ ୧୦୦ ଆସନ ଅତିକ୍ରମ କରିବ ବୋଲି କୁହାଯାଇଥିବାବେଳେ ବିରୋଧୀ 'ଇଣ୍ଡି' ମେଣ୍ଟର ଆସନ ସଂଖ୍ୟା ଗୋଟିଏ ହ୍ରାସ ପାଇବ ବୋଲି କୁହାଯାଇଛି ।
ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ଟି ଆସନ ପାଇଛି।

ସେହିପରି ନରେନ୍ଦ୍ର ମୋଦୀଙ୍କୁ ୪୯ ପ୍ରତିଶତ ମତଦାତା ନିଜର ନେତା ବୋଲି ପସନ୍ଦ କରିଛନ୍ତି। ୨୨,୪ ପ୍ରତିଶତ ମତଦାତା ରାହୁଲ ଗାନ୍ଧୀଙ୍କୁ ନେତା ଭାବେ ପସନ୍ଦ କରିଛନ୍ତି।
୨୦୨୪ ଫେବୃଆରୀରେ ହୋଇଥିବା ସର୍ଭେ ତୁଳନାରେ ମୋଦୀଙ୍କ ରେଟିଂ ପଏଣ୍ଟରେ ୬ ପଏଣ୍ଟ ହ୍ରାସ ହୋଇଥିବାବେଳେ ରାହୁଲଙ୍କ ରେଟିଂରେ ୮ ପଏଣ୍ଟ ବୃଦ୍ଧି ହୋଇଛି। ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଠାରେ କଂଗ୍ରେସର ପଲା ଭାରି ରହିଥିବା ଜଣାଯାଇଛି। ହରିୟାଣାରେ ଏବେ ଲୋକସଭା ନିର୍ବାଚନ ହେଲେ କଂଗ୍ରେସ ୬ଟି ଆସନ ଓ ବିଜେପି ୪ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ଗତ ଲୋକସଭା ନିର୍ବାଚନରେ ରାଜ୍ୟର ୧୦ଟି ଲୋକସଭା ଆସନରୁ କଂଗ୍ରେସ ଓ ବିଜେପି ୫ଟି ଲେଖାଏଁ ଆସନ ପାଇଥିଲେ ।
ସର୍ଭେରେ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତା'ଉପରେ ମଧ୍ୟ ଜନମତ ନିଆଯାଇଛି। ଜନମତରେ ଅମିତ ଶାହାଙ୍କୁ ମୋଦୀଙ୍କ ଉତ୍ତରାଧିକାରୀ ଭାବେ ସର୍ବାଧିକ ୨୫% ଲୋକ ପସନ୍ଦ କରିଛନ୍ତି। ମୋଦୀଙ୍କ ଉତ୍ତରାଧିକାରୀ ଭାବେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତୃତୀୟ ସ୍ଥାନରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ।
ଆଦିତ୍ୟନାଥଙ୍କୁ ୧୯% ଓ ଗଡକରୀଙ୍କୁ ୧୩% ଲୋକ ପସନ୍ଦ କରିଛନ୍ତି। ଏମାନଙ୍କ ପଛକୁ ରହିଛନ୍ତି ଯେ ରାଜନାଥ ସିଂହ, ଶିବରାଜ ସିଂହ ଚୌହ୍ବାନ । ଇଣ୍ଡିଆ ଟୁଡେର ମୁଡ ଅଫ୍ ଦି ନେସନ ସର୍ଭେ ବର୍ଷକୁ ଦୁଇଥର ହୋଇଥାଏ। ସି-ଭୋଟର ପକ୍ଷରୁ ଗତ ଜୁଲାଇ ୧୫ରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ସର୍ଭେରେ ୫୪୩ଟି ଲୋକସଭା କ୍ଷେତ୍ରର ୪୦, ୫୯୧ଜଣଙ୍କ ମତାମତ ନିଆଯାଇଥିଲା ।












Click it and Unblock the Notifications