ଏହି ୩ ରାଜ୍ୟରେ ୬ ମାସ ବୃଦ୍ଧି ହେଲା ‘ଆଫସ୍ପା’
କେନ୍ଦ୍ର ସରକାର ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଚଳରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଏଏଫ୍ଏସ୍ପିଏ)କୁ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଗୃହ ମନ୍ତ୍ରଣାଳୟ ଆଜି ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ମଣିପୁରରେ ଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମଣିପୁରର ୧୩ଟି ଥାନା ଅଂଚଳକୁ ଛାଡ଼ି ଦେଲେ ସମଗ୍ର ରାଜ୍ୟରେ ୨୦୨୫ ଏପ୍ରିଲ ପହିଲାରୁ ଆଗାମୀ ୬ ମାସ ପାଇଁ ଆଫସ୍ପା ଲାଗୁ ହେବ।
ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ମଣିପୁରର ୬ଟି ଜିଲ୍ଲାରେ ୬ ମାସ ପାଇଁ ଆଫସ୍ପା ଲାଗୁ କରାଯାଇଥିଲା। ଏହା ଆସନ୍ତାକାଲି ଶେଷ ହେବାର ଥିଲା। କିନ୍ତୁ ରାଜ୍ୟରେ ଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ଏହାକୁ ବଢ଼ାଇ ଦିଆଯାଇଛି। ନାଗାଲାଣ୍ଡ ଏବଂ ଅରୁଣାଚଳର କିଛି ଅଞ୍ଚଳରେ ଅଶାନ୍ତି ଯୋଗୁଁ ଜାରି ହୋଇଥିବା ଆଫସ୍ପା ବିଜ୍ଞପ୍ତି ଅନୁଯାୟୀ ନାଗାଲାଣ୍ଡର ଡିମାପୁର, ଚୁମୁକେଡିମା, ମୋନ୍, କିଫିରେ, ନୋକ୍ଲାକ୍, ଫେକ୍ ଏବଂ ପେରେନ୍ ଜିଲ୍ଲାର କିଛି ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଏହାବ୍ୟତୀତ କୋହିମା, ମୋକୋକ୍ଚୁଙ୍ଗ, ଲଙ୍ଗଲେଙ୍ଗ, ଓଖା ଓ ଜୁନେବୋଟୋ ଜିଲ୍ଲାର କିଛି ଥାନା ଅଞ୍ଚଳକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ସେହିପରି ଅରୁଣାଚଳ ପ୍ରଦେଶର ତିରାପ, ଚାଙ୍ଗଲାଙ୍ଗ ଓ ଲଙ୍ଗଡିଙ୍ଗ ଜିଲ୍ଲା ସମେତ ୩ଟି ଥାନା ଅଞ୍ଚଳରେ ମଧ୍ୟ ଆଫସ୍ପାକୁ ୬ ମାସ ପାଇଁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଆଫସ୍ପା ଲାଗୁ ହୋଇଥିବା ସ୍ଥାନରେ ସୁରକ୍ଷାବାହିନୀ ବିନା ୱାରେଣ୍ଟରେ ଯେ କୌଣସି ବ୍ୟକ୍ତିକୁ ଗିରଫ କରିପାରିବ। ଅନେକ କ୍ଷେତ୍ରରେ ବଳ ପ୍ରୟୋଗ ମଧ୍ୟ କରାଯାଇପାରେ।
ଉତ୍ତର-ପୂର୍ବାଞ୍ଚଳରେ ସୁରକ୍ଷା ବାହିନୀର ସୁବିଧା ପାଇଁ ସେପ୍ଟେମ୍ବର ୧୧, ୧୯୫୮ରେ ଏହି ଆଇନ ପାରିତ ହୋଇଥିଲା। ୧୯୮୯ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବା ପରେ ୧୯୯୦ରେ ସେଠାରେ ଆଫସ୍ପା ଲାଗୁ ହୋଇଥିଲା। କେଉଁ ଅଞ୍ଚଳକୁ ଅଶାନ୍ତ ଅଂଚଳ ଘୋଷଣା କରାଯିବ ତାହା କେନ୍ଦ୍ର ସରକାର ସ୍ଥିର କରନ୍ତି। ମଣିପୁରରେ ୨୦୨୩ ମେ'ରୁ ଲାଗି ରହିଥିବା ଜାତିଆଣ ହିଂସାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି।
ଇମ୍ଫାଲ ଉପତ୍ୟକାର ମୈତେଇ ସମ୍ପ୍ରଦାୟ ଏବଂ ମଣିପୁରର ପାହାଡ଼ିଆ ଅଞ୍ଚଳର କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ବାରମ୍ବାର ହିଂସାକାଣ୍ଡ ଘଟୁଛି। ପୂର୍ବରୁ ଇମ୍ଫାଲ ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ହିଂସାରୁ ଜିରିବାମ୍ ମୁଖ୍ୟତଃ ବର୍ତ୍ତି ଯାଇଥିଲେ। କିନ୍ତୁ ୨୦୨୩ ଜୁନ୍ ମାସରେ ଏଠାରେ ଜଣେ ଚାଷୀଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ବ୍ୟାପକ ହିଂସା ହୋଇଥିଲା। ଏବେ ମଣିପୁର ରାଷ୍ଟ୍ରପତି ଶାସନ ଅଧୀନରେ ରହିଛି।












Click it and Unblock the Notifications