କୋଇଲା ଖଣିରେ ଦୁର୍ଘଟଣା; ନିଖୋଜ ୬ ଶ୍ରମିକ, ଉଦ୍ଧାର ହେଲାଣି ୩ ମୃତ ଦେହ
କୋଇଲା ଖଣିରେ ଫସିଛି ଜୀବନ। ଏବେବି ୬ ଶ୍ରମିକ କୋଇଲା ଖଣି ଭିତରେ ଫସି ରହିଛିନ୍ତି। ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶି ଯାଇଥିଲା। ଫଳରେ ଏହା ଭିତରେ ଥିବା ଶ୍ରମିକମାନେ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମଙ୍ଗଳବାର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ୬ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେନା, ନୌସେନା ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୩୦୦ ଫୁଟ ଗଭୀର ଖଣି ଭିତରେ ପାଣି ପ୍ରାୟ ୧୦୦ ଫୁଟ ଯାଏ ବଢ଼ି ଯାଇଛି। ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ନୌସେନା ଡାଇଭରମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରୁଛନ୍ତି। ପାଣି ବାହାର କରିବା ପାଇଁ ଦୁଇଟି ମେସିନ୍ ମଧ୍ୟ ଲଗାଯାଛି।
ସେପଟେ ଉଦ୍ଧାର କାର୍ଯ୍ୟରେ ୩୦ ଜଣିଆ ଏନ୍ଡିଆର୍ଏଫ୍ ଟିମ୍ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ୮ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ଥଳ ଓ ବାୟୁସେନା ଯବାନ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି। ଜାନୁଆରୀ ୬ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଆସାମର ଉମରଙ୍ଗସୋ ସ୍ଥିତ କୋଇଲା ଖଣି ଭିତରେ ଅଚାନକ ପାଣି ଭରି ଯାଇତିଲା। ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ଫସି ରହିଥିଲେ।
ସୂଚନା ଅନୁଯାୟୀ, ଏହି ଖଣିଟି ରାଟ୍ ମାଇନର୍ସଙ୍କର ଅଟେ। କୋଇଲା ଖଣିଟି ବେଆଇନ ଭାବରେ ଚାଲିଥିଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ଖଣି ଓ ଖଣିଜ ଆଇନ, ୧୯୫୭ର ଧାରା ଅନୁଯାୟୀ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ମାମଲା ସହ ସମ୍ପୃକ୍ତ ଖଣି ମାଲିକ ପୁନିସ ନୁନିସାଙ୍କୁ ଗିରଫ କରାଯାଇଛି। ୧୫ ଜଣ ଶ୍ରମିକ ଫସିଥିବା ପ୍ରଥମେ କୁହାଯାଉଥିବା ବେଳେ, ଖଣି କର୍ମଚାରୀମାନେ ଫସିଥିବା ୯ ଶ୍ରମିକଙ୍କ ନାଁ ଦେଇଥିଲେ।












Click it and Unblock the Notifications