ଶେଷ ପ୍ରାର୍ଥୀ ତାଲିକା ଜାରିକଲା ଆପ୍, ଏହି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ
ଆଜି ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୩ୟ ଥର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ ମୋଟ ୩୮ ସିଟରେ ନିଜର ପ୍ରାର୍ଥୀ ନାଁ ଘୋଷଣା କରିଛି ଆପ୍ । ଏଥିସହିତ ଆପ୍ ବିଧାନସଭାର ମୋଟ ୭୦ ସିଟରେ ନିଜର ପ୍ରାର୍ଥୀ ଦେଇସାରିଛି । ରବିବାର(ଡିସେମ୍ବର ୧୫) ଦଳ ଜାରି କରିଥିବା ତାଲିକା ଅନୁସାରେ, ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ୍ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ଅତୀଶ ମାର୍ଲେନା ପୁଣି ଥରେ କାଲକାଜୀ ଆସନରୁ ନିର୍ବାଚନ ଲଢ଼ିବେ। ସେହିଭଳି ଆପ୍ର ଟାଣୁଆ ନେତା ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଲଢ଼େଇ କରିବେ।
ଏଥର କସ୍ତୁରବା ନଗରରୁ ପ୍ରାର୍ଥୀ ବଦଳାଇଛି ଆମ ଆଦମୀ ପାର୍ଟି। ବିଧାୟକ ମଦନ ଲାଲଙ୍କ ବଦଳରେ ଏହି ଆସନରୁ ରମେଶ ପେହଲୱାନ ନିର୍ବାଚନ ଲଢ଼ିବେ। ବିଜେପି ଛାଡିବା ପରେ ରମେଶ ପେହଲୱାନ ଏବଂ ତାଙ୍କ ପତ୍ନୀ, କାଉନସିଲର କୁସୁମ ଲତା ଆଜି ସକାଳେ ଆପରେ ଯୋଗ ଦେଇଥିଲେ। ଯୋଗ ଦେବ ମାତ୍ରେ ଦଳ ତାଙ୍କୁ ଉପହାର ଦେଇଛି। ସେହିପରି ଅନ୍ୟମାନଙ୍କ ମଧ୍ୟରୁ ବାବରପୁରରୁ ଗୋପାଳ ରାୟ, ଓଖଲାରୁ ଅମାନତୁଲ୍ଲା ଖାନ ଏବଂ ଶାକୁର ବସ୍ତିରୁ ସତ୍ୟେନ୍ଦ୍ର କୁମାର ଜୈନ ନିର୍ବାଚନ ଲଢ଼ିବେ।

ତେବେ ଏଥର ଦିଲ୍ଲୀରେ ଆପ୍ ପାଇଁ ଭାଇ ହେବ ଭଗାରୀ। ମାନେ ଇଣ୍ଡିଆ ମେଣ୍ଟ ଏଠି ଅଲଗା ନିର୍ବାଚନ ଲଢ଼ିବ। କେଜରିୱାଲ୍ଙ୍କ ବିରୋଧରେ କଂଗ୍ରେସ କଡ଼ା ଫାଇଟ କରିବ। ଏଥିପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ ସନ୍ଦୀପ ଦିକ୍ଷିତଙ୍କୁ କଂଗ୍ରେସ ନୂଆ ଦିଲ୍ଲୀରୁ ପ୍ରାର୍ଥୀ କରିଛି। କେଜରିୱାଲ୍ଙ୍କ ସହ ସନ୍ଦୀପଙ୍କ ଫାଇଟ ଖୁବ୍ ରୋଚକ ହେବ। ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମୟରେ ବିଜେପିକୁ କଡା ନିଶାନା ସାଧିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।
ବିଜେପି ଏବେ ହଜିଯାଇଛି । ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପାଇଁ ନା ଦାବିଦାର ଅଛନ୍ତି ନା ଦଳ ଅଛି । ସେମାନଙ୍କର କେବଳ ଗୋଟିଏ ନୀତି, ଆଉ ଗୋଟିଏ ନାରା, ତାହା ହେଉଛି- କେଜ୍ରିଓ୍ବାଲ ହଟାଅ । ଏମାନଙ୍କୁ ଯଦି ପଚାରିବ ଗତ ୫ ବର୍ଷରେ ସେମାନେ କ'ଣ କରିଛନ୍ତି? ତାର ଜବାବରେ ସେମାନେ କହିବେ, କେଜ୍ରିଓ୍ବାଲକୁ ଅନେକ ଗାଳି ଦେଇଛୁ ।












Click it and Unblock the Notifications