ବିଶ୍ୱକୁ ଆଉ ମାଡି ଆସୁଛି ନୂଆ ମହାମାରୀ ସତର୍କ କରାଇଲେ ବୈଜ୍ଞାନିକ
କରୋନା ପରେ ଏବେ ଆଉ ଗୋଟାଏ ମହାମାରୀ ନେଇ ବଢ଼ି ଲାଣିି ଚିନ୍ତା । ଅନ୍ୟ ଏକ ମହାମାରୀ ନିଶ୍ଚିତ ବୋଲି ବ୍ରିଟେନ୍ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନୂତନ ଭାବେ ସୃଷ୍ଟି ହେଉଥିବା ବିପଦକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଉନ୍ନତ ସର୍ଭିଲାନ୍ସ ବ୍ୟବସ୍ଥା ସ୍ଥାପନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେ ୨୦୨୧ରେ ଜି-୭ ନେତାମାନଙ୍କୁ ଦେଇଥିବା ବାର୍ତ୍ତାକୁ ଦୋହରାଇବା ସହ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନକୁ ପ୍ରାଥମିକତା ଦେଇଛନ୍ତି। କୋଭିଡ୍-୧୯ ମହାମାରୀ ବେଳେ ତ୍ୱରିତ୍ ନିଦାନ, ଟିକା ଏବଂ ଚିକିତ୍ସା ଯୋଗୁ ଏହାକୁ ରୋକାଯାଇପାରିଥିଲା। ଏହା ହାସଲଯୋଗ୍ୟ ହୋଇଥିବାବେଳେ ଅନ୍ତର୍ଜାତୀୟ ସମନ୍ବୟରେ ଉଲ୍ଲେଖନୀୟ ଉନ୍ନତି ଆବଶ୍ୟକ ବୋଲି ଭାଲାନ୍ସ କହିଛନ୍ତି। ୨୦୨୧ରେ ସେ ଯେଉଁସବୁ ପରାମର୍ଶ ଦେଇଥିଲେ ୨୦୨୩ ସୁଦ୍ଧା ଜି-୭ ଦେଶଗୁଡ଼ିକ ତାହା ଭୁଲିଯାଇଥିବା ଭଳି ମନେହୁଏ।
ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ପ୍ରସ୍ତୁତି ଭଳି ଗୁରୁତ୍ୱର ସହ ନେବାକୁ ଭାଲାନ୍ସ ସୁପାରିସ କରିଛନ୍ତି। ମହାମାରୀ ପ୍ରସ୍ତୁତିରେ ଦେଶଗୁଡ଼ିକ ପରସ୍ପରକୁ ସହଯୋଗ କରିବା ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମହାମାରି ଚୁକ୍ତିନାମା ପାଇଁ ଉଦ୍ୟମ ଚଳାଇଛି। ଏହା ଏକ ସକାରାତ୍ମକ ପଦକ୍ଷେପ ହେଲେ ମଧ୍ୟ ଯଥେଷ୍ଟ ନୁହେଁ। ଯଦି ଏହି ପ୍ରସଙ୍ଗ ଜି୭ ଏବଂ ଜି୨୦ ଏଜେଣ୍ଡାରୁ ହଟିଯାଉଛି, ତେବେ ଆମେ ସମାନ ସ୍ଥିତିରେ ରହିଛୁ ବୋଲି ଧରିନେବାକୁ ହେବବୋଲି ଭାଲାନ୍ସ କହିଛନ୍ତି।












Click it and Unblock the Notifications