ସଂସଦରେ ଅନୁପ୍ରବେଶ କରିବା ପାଇଁ ୨ ବର୍ଷ ଧରି ଚାଲିଥିଲା ଷଡଯନ୍ତ୍ର
ଦିଲ୍ଲୀ:ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଗିରଫ ହୋଇଥିବା ଷଷ୍ଠ ଅଭିଯୁକ୍ତ ମହେଶ କୁମାବତଙ୍କୁ ଶନିବାର ଦିନ ଦିଲ୍ଲୀ କୋର୍ଟ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଗତ ଦୁଇ ବର୍ଷ ଧରି ସଂସଦରେ ଅନୁପ୍ରବେଶ ଷଡଯନ୍ତ୍ର ଚାଲିଥିବାର ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟକୁ କହିଛି । ପୋଲିସ ଆହୁରି କହିଛି ମହେଶ ଏହି ପ୍ରସଙ୍ଗରେ ଅନୁଷ୍ଠିତ ହେଉଥିବା ସମସ୍ତ ବୈଠକରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ପୋଲିସ ।
ସରକାରୀ ଓକିଲ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରିବାରେ ମହେଶ ସମ୍ପୃକ୍ତ ଥିଲେ, ଏହା ପରେ ଜଷ୍ଟିଷ ହରଦିପ କୌର ତାଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ପଠାଇଥିଲେ । ଓକିଲ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦେଶରେ ଅରାଜକତା ବିସ୍ତାର କରିବା ପାଇଁ ମହେଶ କୁମାବତ ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଥିଲେ ଏବଂ ସବୁ ଷଡଯନ୍ତ୍ରର ଖୁଲାସା କରିବା ପାଇଁ ତାଙ୍କୁ ନେଇ ଅଧିକ ତଦନ୍ତ କରିବା ନିହାତି ଆବଶ୍ୟକ ।
ଆଇନଗତ ସହାୟତା ମାଧ୍ୟମରେ ଅଭିଯୁକ୍ତ ମହେଶଙ୍କୁ କୋର୍ଟ ଏକ ଓକିଲ ମଧ୍ୟ ପ୍ରଦାନ କରିଥିଲେ । ଶୁଣାଣି ସମୟରେ ମହେଶଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ ଦିଲ୍ଲୀ ପୋଲିସ କାହିଁକି ଗିରଫ କରିଛି ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ । ଅଭିଯୁକ୍ତ ମହେଶଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସ ଦାବି ଆବେଦନ କରିଥିଲା , କିନ୍ତୁ ମହେଶଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

ଏହାପୂର୍ବରୁ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରମାଣ ନଷ୍ଟ କରିବା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ମହେଶଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏହା ହେଉଛି ଷଷ୍ଠ ଗିରଫ । ଅଧିକାରୀ କହିଛନ୍ତି ଯେ ମହେଶ ଏହି ମାମଲାର ଅନ୍ୟ ଅଭିଯୁକ୍ତ ଲଲିତ ଝାଙ୍କ ସହ ମହେଶ ପୋଲିସ ଷ୍ଟେସନକୁ ଆସିଥିଲେ ଏବଂ ଉଭୟଙ୍କୁ ସ୍ୱତନ୍ତ୍ର ସେଲକୁ ପଠାଯାଇଛି ।












Click it and Unblock the Notifications