୯୫ ବର୍ଷର ବରକୁ ୯୦ ବର୍ଷର କନିଆଁ; ଏମିତି ବି ହୁଏ ପ୍ରେମ, ୭୦ ବର୍ଷର ଲିଭ୍ ଇନ୍ ପରେ ବିବାହ
ରାଜସ୍ଥାନ ଡୁଗରପୁର ଜିଲ୍ଲାର ଗଲନ୍ଦର ଗାଁରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି । 95 ବର୍ଷର ବର ସାଙ୍ଗକୁ 90 ବର୍ଷୀୟ କନ୍ୟାର ହେଉଥିଲା ବାହାଘର । ଗତ ବୁଧବାର ଦିନ ଖୁବ ଧୁମଧାମରେ ସମ୍ପନ୍ନ ହୋଇଯାଇଛି ଏହି ବିବାହ ।
ବରଯାତ୍ରୀ ଭାବେ ଆସିଥିବା ଗ୍ରାମବାସୀ ଧୁମ ନାଚିଥିଲେ । ଏହି ବରକନ୍ୟା 70 ବର୍ଷ ଧରି ଏକଠି ରହିବା ପରେ ସେମାନଙ୍କ ପୁଅଝିଅମାନେ ବିବାହର ଆୟୋଜନ କରାଇଥିଲେ । 4 ପୁଅ, 4 ଝିଅ ଏବଂ ନାତିନାତୁଣୀଙ୍କ ଗହଣରେ ଏହି ବୃଦ୍ଧ ଦମ୍ପତିଙ୍କର ବିବାହ ସମ୍ପନ୍ନ କରାଯାଇଥିଲା । ଏହି ନିଆରା ବିବାହକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଛି ।
୭୦ ବର୍ଷର ଅପେକ୍ଷା: ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୭୦ ବର୍ଷ ଧରି ଏକାଠି ରହୁଥିବା ୯୫ ବର୍ଷୀୟ ବର ଏବଂ ୯୦ ବର୍ଷୀୟ କନ୍ୟା ନିକଟରେ ବିବାହ କରି ସମଗ୍ର ସମାଜକୁ ଚକିତ କରିଦେଇଛନ୍ତି ।
ଏହି ଦମ୍ପତି ସାତ ଦଶନ୍ଧି ଧରି ଏକାଠି ରହୁଥିଲେ, କିନ୍ତୁ କୌଣସି କାରଣରୁ ବିବାହ କରିପାରିନଥିଲେ। ଯେତେବେଳେ ପିଲାମାନେ ଏହା ଜାଣିପାରିଲେ, ସେମାନେ ସେମାନଙ୍କ ପିତାମାତାଙ୍କ ଅଧୁରା ଇଚ୍ଛା ପୂରଣ କରିବାର ଦାୟିତ୍ୱ ନେଇଥିଲେ।

ବାପା ମାଆଙ୍କ ଇଚ୍ଛା ଅନୁଯାୟୀ, ସେମାନେ ରାଜସ୍ଥାନର ସାମାଜିକ ପରମ୍ପରା ଆଧାରରେ ବରଯାତ୍ରୀ ସହ ବାଜା ରୋସଣୀ ବଜାଇ ବେଶ ଧୁମ ଧାମରେ ନାଚ ଗୀତ କରି ବିବାହ କରାଇଥିଲେ ।
ଏବେ ବାହାଘର: ବିବାହ ଉତ୍ସବ ମହା ଆଡମ୍ବରରେ କରାଯାଇଥିଲା । ପରିବାର ସଦସ୍ୟ, ନିକଟ ସମ୍ପର୍କୀୟ ଏବଂ ଗ୍ରାମବାସୀମାନେ ଏକାଠି ହୋଇ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଦେଇଥିଲେ । ଯେତେବେଳେ ଦମ୍ପତି ବ୍ୟାଣ୍ଡ ବାଜାର ତାଳେ ତାଳେ ମଣ୍ଡପରେ ପହଞ୍ଚିଲେ ସମସ୍ତଙ୍କ ମୁହଁରେ ଭାବପ୍ରବଣ ଫୁଟିକି ଦେଖାଗଲା।
ପିଲାମାନେ, ନାତିନାତୁଣୀ ସମସ୍ତେ ଏକାଠି ହୋଇ ଏହି ଉତ୍ସବକୁ ପାଳନ କଲେ, ଏବଂ ଏହା ମଧ୍ୟ ଦେଖାଇଲେ ଯେ ପ୍ରକୃତ ପ୍ରେମ ବୟସର ବନ୍ଧନକୁ ମଧ୍ୟ ଭାଙ୍ଗିପାରେ । ୭୦ ବର୍ଷ ପରେ ଏହି ବିବାହ ସମଗ୍ର ସମ୍ପ୍ରଦାୟକୁ ପ୍ରେରଣା ଦିଏ ଯେ ଜୀବନରେ କେବେ ହାର ମାନିବା ଉଚିତ୍ ନୁହେଁ ।
୯୫ ବରକୁ ୯୦ କନିଆଁ: ଡୁଙ୍ଗରପୁରର ଏହି ବିବାହ ରାଜସ୍ଥାନର ଗାଁ ଏବଂ ସହରଗୁଡ଼ିକରେ ଆଲୋଚନାର ବିଷୟ ପାଲଟିଛି । ପରିବାର ଏବଂ ସମାଜ କିପରି କାହାର ଅଧୁରା ଇଚ୍ଛା ପୂରଣ ପାଇଁ ଏକାଠି ହୋଇପାରନ୍ତି ତାହାର ଏକ ଉଦାହରଣ ପାଲଟିଛି ।
ଏହି ସମୟରେ ବିବାହରେ ଉପସ୍ଥିତ ସମସ୍ତ ଲୋକଙ୍କ ଆଖିରେ ଖୁସି ଏବଂ ଆଶ୍ଚର୍ଯ୍ୟ ଦେଖାଯାଇଥିଲା। ଏତେ ବୟସରେ ମଧ୍ୟ ବିବାହ ସମ୍ଭବ କି? ଏହି ଅନନ୍ୟ ବିବାହ ପରେ, ସୋସିଆଲ ମିଡିଆ ଏବଂ ସ୍ଥାନୀୟ ଗଣମାଧ୍ୟମରେ ପ୍ରଶ୍ନ ମଧ୍ୟ ଉଠୁଛି ।
ଏନେଇ ପୁଅ କାନ୍ତିଲାଲ ଅଙ୍ଗାରୀ କହିଛନ୍ତି, 'ବାପା-ମା ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଗାଁ ଲୋକ ଏବଂ ପରିବାର ସଦସ୍ୟ ମିଶି ଏହି ବିବାହର ଆୟୋଜନ କରିଥିଲେ । ଜୁନ 1 ତାରିଖରୁ ଲଗ୍ନ ଧରାଯାଇ ହଲଦୀ ରସମ ପର୍ଯ୍ୟନ୍ତ ସବୁକିଛି ଧୁମଧାମ ଏବଂ ରୀତିନୀତି ସହ କରାଯାଇଥିଲା । 4 ତାରିଖରେ ହୋଇଥିଲା ବିବାହ । ବିବାହ ଦିନ ସକାଳେ ବରଯାତ୍ରୀ ପଟୁଆରରେ ବାହାରିଥିଲେ । ପୂରା ଗାଁର ଲୋକେ ଏକାଠି ହୋଇ ଏହି ନିଆରା ବାହାଘରକୁ ଉପଭୋଗ କରିଥିଲେ।
ଚାରି ସନ୍ତାନ ସରକାରୀ ଚାକିରିଆ:
ଗଲନ୍ଦର ଗାଁ କାଲି ଡୋନାର ରାମା ଭାଇ ଅଙ୍ଗାରୀ (95 ବର୍ଷ) ନାତା ପ୍ରଥା ଅନୁସାରେ ଜିବଲି ଦେବୀ (90)ଙ୍କ ସହ 70 ବର୍ଷ ଧରି ଏକାଠି ରହୁଥିଲେ । ଏହା ପରେ ସେମାନେ 8 ସନ୍ତାନର ପିତା-ମାତା ହୋଇଥିଲେ । ଏପରିକି ପିଲାମାନେ ବିବାହ କରି ସେମାନଙ୍କର ମଧ୍ୟ ସନ୍ତାନ ହେଲାଣି । 8 ସନ୍ତାନଙ୍କ ମଧ୍ୟରୁ 4 ଜଣ ସରକାରୀ ଚାକିରୀ କରିଛନ୍ତି । 2 ପୁଅ ଶିବରାମ (55 ବର୍ଷ), କାନ୍ତିଲାଲ (52) ଏବଂ ଝିଅ ସୁନୀତା ଶିକ୍ଷକତା କରନ୍ତି । ଅନ୍ୟ ଜଣେ ଝିଅ ଅନୀତା ନର୍ସ ଅଛନ୍ତି । ଦୁଇ ବୋହୂ ମଧ୍ୟ ସରକାରୀ ଚାକିରିଆ ।
70 ବର୍ଷ ପରେ ଘର ଲୋକଙ୍କ ଉପସ୍ଥିତିରେ ସାମାଜିକ ରୀତିରିବାଜ ଅନୁସାରେ ବିବାହ କରିବାର ଇଚ୍ଛା ପ୍ରକାଶ କରିଥିଲେ ରାମା ଭାଇ ଅଙ୍ଗାରୀ । ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେଇ ଗାଁ ଲୋକ ଏବଂ ପରିବାର ଲୋକ ବିବାହର ଆୟୋଜନ କରିଥିଲେ । ଡିଜେ ବାଜିଥିଲା, ବରଯାତ୍ରୀ ଆସିଥିଲେ, ଭୋଜିଭାତ ବି ହୋଇଥିଲା । ଗାଁଲୋକ ଖୁବ ନାଚିଥିଲେ ।
କଣ ଏହି ନାତା ପ୍ରଥା ?
95 ବର୍ଷର ରାମା ଏବଂ 90 ବର୍ଷର ଜୀବଲି 70 ବର୍ଷ ଧରି ଏକାଠି ରହୁଥିଲେ ହେଁ ବିବାହ କରି ନ ଥିଲେ । ଏହାକୁ ସ୍ଥାନୀୟ ଭାଷାରେ ନାତା ପ୍ରଥା କହନ୍ତି । ଏହି ପ୍ରଥା ଅନୁସାରେ ଜଣେ ମହିଳା ଏବଂ ପୁରୁଷ ପାରସ୍ପରିକ ବୁଝାମଣା ଅନୁସାରେ ବିବାହ ନ କରି ବି ଏକାଠି ରହି ପାରିବେ ।












Click it and Unblock the Notifications