ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ ବେରୋଜଗାର, କରୋନା ପରେ ବଢ଼ିଛି ମହିଳାଙ୍କ ଆୟ: ରିପୋର୍ଟ
ନୂଆଦିଲ୍ଲୀ: ପୁଣି ଦେଶର ବେରୋଜଗାରକୁ ନେଇ ଏକ ବଡ ରିପୋର୍ଟ ଆସିଛି । ଦେଶରେ ଥିବା ୨୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କ ମଧ୍ୟରୁ ୪୨ ପ୍ରତିଶତ ବେରୋଜଗାରୀ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
୨୦୧୯-୨୦ ରେ ଦେଶରେ ବେରୋଜଗାରୀ ହାର ୮.୮ ପ୍ରତିଶତ ଥିଲା, ଯାହାକି ୨୦୨୦-୨୧ ବେଳକୁ ହ୍ରାସପାଇ ୭.୫ ପ୍ରତିଶତ ଥିଲା । ସେହିଭଳି ୨୦୨୨-୨୩ ବେଳକୁ ଏହି ପ୍ରତିଶତ ୬.୬ରେ ପହଞ୍ଚିଥିଲା । ହେଲେ ଏବେ ଶିକ୍ଷିତ ଯୁବଗୋଷ୍ଠୀ ଅଧିକ ବେରୋଜଗାର ହେଉଥିବା ଦେଖିବାକୁ ମିଳିଛି । ଅଜିମ ପ୍ରେମ୍ ଜୀ ୟୁନିଭର୍ସିଟିରୁ ଆସିଥିବା ରିପୋର୍ଟ ଆସିଛି ।

ନିକଟରେ ଆରବିଆଇ ଏକ ରିପୋର୍ଟରେ କହିଥିଲା ଯେ ଦେଶରେ ସଞ୍ଚୟ ୫୦ ବର୍ଷ ତଳକୁ ଖସି ଆସିଛି । ଲୋକ ଋଣରେ ବୁଡ଼ିଛନ୍ତି । ଏଭଳି ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏବେ ପୁଣି ଏକ ଚମକାଇ ଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଦେଶରେ ବେରୋଜଗାରୀ ହାରକୁ ନେଇ ଆସିଛି ।
ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଷ୍ଟେଟ୍ ଅଫ୍ ୱାର୍କିଂ ଇଣ୍ଡିଆ ୨୦୨୩ରୁ ଏହି ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୫ ରୁ ୨୯ ବର୍ଷର ଯୁବକମାନଙ୍କ ମଧ୍ୟରେ ସର୍ବାଧିକ ବେକାରୀ ହାର ୨୨.୮ ପ୍ରତିଶତ ରହିଛି । ୨୫ ବର୍ଷରୁ କମ୍ ବୟସର ଯୁବକମାନଙ୍କ ମଧ୍ୟରେ ବେରୋଜଗାର ହାର ୨୧.୪ ପ୍ରତିଶତ, ଯାହାକି ସର୍ବାଧିକ ।
ରିପୋର୍ଟ ମୁତାବକ ୨୫ ବର୍ଷରୁ କମ୍ ନିରକ୍ଷର ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ୧୩.୫ ପ୍ରତିଶତ ରହିଛି । ୪୦ ବର୍ଷ କିମ୍ବା ତା ଠାରୁ ଅଧିକ ନିରକ୍ଷର ବର୍ଗରେ ବେକାରୀ ହାର ୨.୪ ପ୍ରତିଶତ ରହିଛି । ୩୫ ବର୍ଷରୁ ଅଧିକ ବୟସର ସ୍ନାତକଧାରୀ ବେରୋଜଗାରୀ ହାର ପାଞ୍ଚ ପ୍ରତିଶତରୁ କମ୍ ରହିଛି । ସେହିପରି ୪୦ ବର୍ଷରୁ ଅଧିକ ବୟସର ଗ୍ରାଜୁଏଟ୍ଙ୍କ ମଧ୍ୟରେ ବେକାରୀ ହାର ମାତ୍ର ୧.୬ ପ୍ରତିଶତ ରହିଛି ।
ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟ ସରକାରୀ ତଥ୍ୟ ଉପରେ ଆଧାରିତ । ଏନ୍ ଏସ୍ ଓ ର ନିଯୁକ୍ତି -ବେକାରୀ ସର୍ଭେ, ଶ୍ରମ ଶକ୍ତି ସର୍ଭେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ, ଜନସଂଖ୍ୟା ଜନଗଣନା ଭଳି ସରକାରୀ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଗ୍ରାମୀଣ କର୍ଣ୍ଣାଟକ ଏବଂ ରାଜସ୍ଥାନରେ ୱାକିଂ ସର୍ଭେ ନାମକ ଏକ ସ୍ୱତନ୍ତ୍ର ସର୍ଭେ କରାଯାଇଛି ।
ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଆସିବା ପୂର୍ବରୁ ମହିଳାଙ୍କ ଆୟ ହ୍ରାସ ପାଇବାରେ ଲାଗିଥିଲା। ୨୦୦୪ ପରଠାରୁ, ମହିଳାଙ୍କ ରୋଜଗାର ହାର ହ୍ରାସ କିମ୍ବା ସ୍ଥିର ରହିଥିଲା। ହେଲେ ୨୦୧୯ ପରଠାରୁ ମହିଳାଙ୍କ ରୋଜଗାର ବୃଦ୍ଧି ପାଇଛି। ମହାମାରୀ ସମୟରେ ବହୁ ସଂଖ୍ୟକ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି। କରୋନା ମହାମାରୀ ପୂର୍ବରୁ ୫୦ ପ୍ରତିଶତ ମହିଳା ଆତ୍ମନିର୍ଭରଶୀଳ ଥିଲେ ଏବଂ ମହାମାରୀ ପରଠାରୁ ଏହି ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି।












Click it and Unblock the Notifications