ସ୍କୁଲ ପରେ ହସ୍ପିଟାଲକୁ ମିଳିଲା ବୋମା ଧମକ, ଜାଣନ୍ତୁ କେଉଁ ହସ୍ପିଟାଲକୁ ମିଳିଛି ଏହି ଧମକ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି । ଦିଲ୍ଲୀର ଏକାଧିକ ସ୍କୁଲ ପରେ ଏଥର ଡାକ୍ତରଖାନାଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ପୁଣିଥରେ ଧମକ ମିଳିଛି । ଇମେଲ ଜରିଆରେ ଏହି ଧମକ ଆସିଛି । ସେହି ହସ୍ପିଟାଲ୍ ୪ଟି ହେଉଛି ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୟାର ହସ୍ପିଟାଲ ।
ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ରହିଛି । ଏ ନେଇ ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସମୟରେ ଧମକପୂର୍ଣ୍ଣ ମେଲ କିଏ ଓ କାହିଁକି ପଠାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି । ଜାତୀୟ ରାଜଧାନୀର ଚାରୋଟି ଡାକ୍ତରଖାନାକୁ ପୁଲିସ ଦଳ ପଠାଯାଇଛି ।

ରବିବାର ଦିନ ଦିଲ୍ଲୀର ୧୦ଟି ଡାକ୍ତରଖାନା ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା । ତେବେ ଏହି ଧମକକୁ ଦିଲ୍ଲୀ ପୁଲିସ ଖାରଜ କରିଦେଇଛି । କେଉଁଠାରୁ ଆଉ କିଏ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଛି ସେନେଇ ଦିଲ୍ଲୀ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ଧମକ ମିଳିବା ପରେ ଉକ୍ତ ଚାରୋଟି ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଟିମ୍ ପହଞ୍ଚିଛନ୍ତି ।
ଏହାପୂର୍ବରୁ ଦିଲ୍ଲୀର ଏକାଧିକ ସ୍କୁଲ, ଡାକ୍ତରଖାନା, ବିମାନବନ୍ଦର ଏବଂ ଉତ୍ତର ରେଳବାଇର ସିପିଆରଓ ବିଲ୍ଡିଂକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିଲା ।












Click it and Unblock the Notifications