ବୋଲେରୋ ଟ୍ରକ୍ ମୁହାଁମୁହିଁ ଧକ୍କା , ଚାଲିଗଲା ୪ ଶ୍ରଦ୍ଧାଳୁଙ୍କର ଜୀବନ
ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲା ବଭାନୀ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଛତିଶଗଡ଼ ସୀମା ନିକଟରେ ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଶ୍ରଦ୍ଧାଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ପଠାଯାଇଛି ।

ଏହି ଘଟଣାରେ ସୁରକ୍ଷିତ ବର୍ତ୍ତିଯାଇଥିବା ଲୋକମାନେ କହିଛନ୍ତି ଯେ ସେମାନେ ସମସ୍ତେ ଛତିଶଗଡ଼ର ରାୟପୁରର ସାରନଗଡ଼ ବାସିନ୍ଦା ଏବଂ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ । ରାସ୍ତାରେ ଆସୁଥିବା ବେଳେ ସେମାନଙ୍କ ବୋଲେରୋ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ବୋଲେରୋଟି ଛତିଶଗଡ଼ ସୀମାରେ ବିପରୀତ ଦିଗରୁ ଆସୁଥିଲା ବୋଲି କୁହାଯାଉଛି । ଏହି କାରଣରୁ ଏହା ଟ୍ରକ୍ ସହ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ଭାଙ୍ଗି ଚୁରମାର୍ ହୋଇଯାଇଛି । ଅତିରିକ୍ତ ଏସପି କାଳୁ ସିଂ କହିଛନ୍ତି, ଏହି ଦୁର୍ଘଟଣା ସକାଳ ପ୍ରାୟ ସାଢ଼େ ୭ଟାରେ ଘଟିଥିଲା । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ମାମଲାର ତଦନ୍ତ କରାଯାଉଛି । ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।












Click it and Unblock the Notifications