ବୈଷୟିକ ତ୍ରୁଟି ପାଇଁ ତୁର୍କିଏ ବିମାନ ବନ୍ଦରରେ ଫସି ରହିଛନ୍ତି ୨୦୦ ଭାରତୀୟ ଯାତ୍ରୀ
ଲଣ୍ଡନରୁ ମୁମ୍ୱାଇ ଆସୁଥିବା ଭର୍ଜିନ୍ ଅଟଲାଣ୍ଟିକ୍ର ବିମାନକୁ ତୁର୍କିଏ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା କାରଣରୁ ବିମାନକୁ ଡାଇଭର୍ଟ କରାଯାଇଥିଲା । କିନ୍ତୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ଅନ୍ୟ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣାଦାୟୀ ହୋଇଛି । ୨୦୦ରୁ ଅଧିକ ଭାରତୀୟ ଯାତ୍ରୀ ଗତ ୧୮ ଘଣ୍ଟା ଧରି ବିମାନ ବନ୍ଦରରେ ଫସି ରହିଛନ୍ତି । ନାଁ ଖାଇବା ପିଇବାର କୌଣସି ବ୍ୟବସ୍ଥା ଅଛି, ନାଁ ବିଶ୍ରାମ ନେବା ପାଇଁ କୌଣସି ସୁବିଧା ।

ରିପୋର୍ଟ ଅନୁସାରେ, ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏଥିରେ କିଛି ବୈଷୟିକ ତ୍ରୁଟି ଦେଖା ଦେଇଥିଲା । ସେପଟେ ଯେଉଁ ବିମାନ ବନ୍ଦରର ଜରୁରୀ ଅବତରଣ କରାଯାଇଛି, ସେଠାରେ ଉଡାଣ ଭରିବାର ସଠିକ୍ ସୁବିଧା ମଧ୍ୟ ନାହିଁ । ତେଣୁ ବିମାନ ଏବେ ସୁଦ୍ଧା ମୁମ୍ୱାଇ ଅଭିମୁଖେ ଉଡାଣ ଭରିପାରି ନାହିଁ ।
ଜଣେ ଯାତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଆମେ ୧୮ ଘଣ୍ଟା ହେଲା ଏଠାରେ ଫସି ରହିଛୁ । କାହା ସହ ବି ଠିକ୍ ଭାବେ ଯୋଗାଯୋଗ ହୋଇପାରୁ ନାହିଁ । ବିମାନ ବନ୍ଦରର ଯେଉଁ ଟର୍ମିନାଲରେ ଆମକୁ ରଖାଯାଇଛି, ସେଠାରେ ଖାଇବା-ପିଇବା ମଧ୍ୟ ମିଳୁ ନାହିଁ । ପିଲା, ମହିଳା ଓ ବରିଷ୍ଠ ନାଗରିକ ସବୁଠୁ ଅଧିକ ଅସୁବିଧାର ସାମନାକୁ କରୁଛନ୍ତି ।'
ଏହାରି ଭିତରେ ମହାରାଷ୍ଟ୍ର ସରକାର ଏହି ମାମଲାର ସଜ୍ଞାନ ନେଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିବା ପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ତୁର୍କିଏ ବିମାନ ବନ୍ଦରରେ ଯାତ୍ରୀ ଫସି ରହିବା ଘଟଣା ପ୍ରଥମ ନୁହେଁ । ଗତ ବର୍ଷ ଡିସେମ୍ୱରରେ ବି ୪୦୦ରୁ ଅଧିକ ଭାରତୀୟ ଯାତ୍ରୀ ୧୮ ଘଣ୍ଟା ଯାଏ ଇସ୍ତାମବୁଲ୍ ବିମାନ ବନ୍ଦରରେ ଫସି ରହିଥିଲେ । ସେତେବେଳେ ଇଣ୍ଡିଗୋ ଏୟାରଲାଇନ୍ସ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲା । କିନ୍ତୁ ବର୍ତ୍ତମାନ ଘଟଣା ପାଇଁ ଭର୍ଜିନା ଅଟଲାଣ୍ଟିକ ପକ୍ଷରୁ କୌଣସି ଔପଚାରିକ ବୟାନ ଆସି ନାହିଁ ।












Click it and Unblock the Notifications