୨୦ ଟିଏମ୍ସି ସାଂସଦ ଏନ୍ସିପିଆଇରେ ବିଲୟ,ଏନ୍ଡିଏକୁ ସମର୍ଥନ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖିଆ ମମତା ବାନାର୍ଜୀଙ୍କ ଦଳର ଦୁଇ ତୃତୀୟାଂଶ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ବଡ଼ ଖେଳ କରିଛନ୍ତି। ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (ଏନସିପିଆଇ) ସହ ବିଲୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସେମାନେ କେନ୍ଦ୍ରରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରାଷ୍ଟ୍ରହିତରେ ସେମାନେ କାର୍ଯ୍ୟ କରିବେ ବୋଲି ବିଦ୍ରୋହୀ ସାଂସଦ ଗୋଷ୍ଠୀର ନେତୃତ୍ୱ ନେଉଥିବା ସାଂସଦ କାକଲି ଘୋଷ ଦସ୍ତିଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର ଏହି ରାଜନୈତିକ ଘଟଣାକ୍ରମ ମମତା ବାନାର୍ଜୀଙ୍କୁ ବଡ଼ ଧକ୍କା ଦେଇଛି।

ବିଜେପିର ପଶ୍ଚିମବଙ୍ଗ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଥମେ ଏହି ବିଦ୍ରୋହୀ ସାଂସଦ ଗୋଷ୍ଠୀ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। କାକଳି ଘୋଷଙ୍କ ନେତୃତ୍ବରେ ସୁଦୀପ ବନ୍ଦୋପାଧ୍ୟାୟ, ଶତାବ୍ଦୀ ରାୟ, ସାୟନୀ ଘୋଷ, ମାଲା ରୟ, ପ୍ରସୂନ ବାନାର୍ଜୀ, ଅରୁପ ଚକ୍ରବର୍ତ୍ତୀଙ୍କ ସମେତ ଟିଏମ୍ସି ନେତା ଜଗଦୀପ ବସୁନିଆ, ପାର୍ଥ ଭୌମିକ, ଜୁନ୍ ମାଲିଆ, ମିତାଲୀ ବାଗ୍ ଓ ବାପି ହଲ୍ଧର ପ୍ରମୁଖ ଶ୍ରୀ ଯାଦବଙ୍କୁ ଭେଟି ପ୍ରାୟ ଦୁଇଘଣ୍ଟା ଆଲୋଚନା କରିଥିଲେ। ପରେ ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ବାସଭବନରେ ଭେଟି ସେମାନଙ୍କର ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ଏହା ସହିତ ସେମାନେ ସଂସଦର ଆଗାମୀ ଅଧିବେଶନ କାଳରେ ଗୃହରେ ଅଲଗା ବସିବା ପାଇଁ ବାଚସ୍ପତିଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ଏନସିପିଆଇରେ ତାଙ୍କ ଗୋଷ୍ଠୀ ବିଲୟ ହୋଇଥିବା କାକଳୀ ଗଣମାଧ୍ୟମକୁ କହିଛନ୍ତି। ଏନସିପିଆ ହେଉଛି ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ପଞ୍ଜୀକୃତ ଏକ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳ। ଏହା ତ୍ରିପୁରା ଓ ମେଘାଳୟରେ ସୀମିତ ରହିଛି। ଟିଏମ୍ସି ବିଦ୍ରୋହୀ ସାଂସଦମାନେ ଏହି ଦଳରେ ମିଶିବାକୁ ଘୋଷଣା କରିବା ପରେ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ଅଣମାନ୍ୟତାପ୍ରାପ୍ତ ଦଳ ହୋଇଥିବାରୁ ଏହାର କୌଣସି ସ୍ଥାୟୀ ନିର୍ବାଚନ ଚିହ୍ନ ନାହିଁ।
ବାଚସ୍ପତିଙ୍କୁ ଭେଟିବା ପରେ କାକଲି କହିଛନ୍ତି ଯେ ଆମେ ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟି ପତ୍ର ଦେଇଛୁ। ଆମ ସହିତ ୨୨ ଜଣ ସାଂସଦ ରହିଛନ୍ତି। ଏହି ସଂଖ୍ୟା ଟିଏମସିର ମୋଟ ସାଂସଦ ସଂଖ୍ୟାର ଦୁଇ-ତୃତୀୟାଂଶରୁ ଅଧିକ। ତେଣୁ ଆମ ଉପରେ ଦଳ ବଦଳ ନିୟମ ଆଇନ ଲାଗୁ ହେବନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ସେମାନେ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ' ସହ ମିଶିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସହ ମିଳିତ ଭାବେ ଦେଶ ପାଇଁ କାମ କରିବେ। ଲୋକସଭାରେ ଏବେ ଟିଏମସିର ୨୮ ଜଣ ସାଂସଦ ଅଛନ୍ତି। ଅନ୍ୟତମ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି ଯେ ଯେହେତୁ ସେମାନଙ୍କ ପାଖରେ ଦୁଇ-ତୃତୀୟାଂଶ ବହୁମତ ଅଛି, ତେଣୁ ସେମାନେ ଆଗାମୀ ଦିନରେ ପ୍ରକୃତ 'ଟିଏମସି' ନାମ ଏବଂ ଦଳୀୟ ଚିହ୍ନ ଉପରେ ଦାବି ସାବ୍ୟସ୍ତ କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଅନ୍ୟପଟେ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ସଂସଦରେ କୌଣସି ଅଲଗା ଗୋଷ୍ଠୀ ବା ବିଦ୍ରୋହୀ ସାଂସଦଙ୍କୁ ସ୍ୱୀକୃତି ଦିଆ ନ ଯାଉ। ସେ କହିଛନ୍ତି ଯେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ଏକ ଅବିଭାଜ୍ୟ ଦଳ। ଏହାର ସଂସଦୀୟ ଦଳ ନେତା ଓ ହ୍ବିପ୍ ଅଧିକୃତ ନେତା। ତେଣୁ ଅନ୍ୟ କୌଣସି ଗୋଷ୍ଠୀର ନେତୃତ୍ବକୁ ସ୍ବୀକୃତି ପ୍ରଦାନ ନ କରିବାକୁ ଅଭିଶେଷ ଚିଠି ଅନୁରୋଧ କରିଛନ୍ତି। ଏଠି କଥା ଉଠୁଛି, ଯଦି ବାଚସ୍ପତିି ଏହି ବିଦ୍ରୋହୀ ଗୋଷ୍ଠୀର ବିଲୟକୁ ଅନୁମୋଦନ କରନ୍ତି, ତେବେ ଟିଏମ୍ସି ପାଇଁ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ହେବ। ୧୯୯୮ ମସିହାରେ କଂଗ୍ରେସରୁ ବାହାରି ସ୍ବତନ୍ତ୍ର ଦଳ ଗଠନ କରିଥିବା ମମତାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଅଡୁଆ ବଢାଇବ।












Click it and Unblock the Notifications