ୟୁପିଆଇର ଗ୍ରହଣୀୟତା ବଢ଼ିବା ପରେ ବର୍ଷକରେ ୨୩୬୦ ଏଟିଏମ୍ ବନ୍ଦ
ଡିଜିଟାଲ୍ ପେମେଣ୍ଟ୍, ବିଶେଷ କରି ୟୁପିଆଇର ଗ୍ରହଣୀୟତା ବଢ଼ିବା ପରେ ଏଟିଏମମ୍ ଉପରେ ଲୋକମାନଙ୍କ ନିର୍ଭରଶୀଳତା କମ୍ ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ଗୋଟିଏ ବର୍ଷରେ ୨୩୬୦ ଏଟିଏମ୍କୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ଏଟିଏମ୍ ସଂଖ୍ୟା ୨,୫୧,୦୫୭କୁ ଖସିଆସିଛି।
୨୦୨୪ରେ ଏହି ସଂଖ୍ୟା ୨,୫୩,୪୧୭ ଥିଲା। ରିଜର୍ଭ ବ୍ୟାଙ୍କ କହିଛି ଯେ ଲୋକମାନେ ଦୈନନ୍ଦିନ ଜୀବନରେ ଛୋଟମୋଟ ପେମେଣ୍ଟ କରିବା ଲାଗି ଏଟିଏମ୍ରୁ ଟଙ୍କା ଉଠାଇବା ବଦଳରେ ଡିଜିଟାଲ୍ ପେମେଣ୍ଟ୍ କରିବାକୁ ପସନ୍ଦ କରୁଛନ୍ତି। ତଥ୍ୟ କହୁଛି ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ଏଟିଏମ୍ ବନ୍ଦ କରିଛନ୍ତି। ଘରୋଇ ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୨୦୨୪ରେ ୭୯,୮୮୪ ଥିଲା।

୨୦୨୫ରେ ତାହା ୭୭,୧୧୭କୁ ହ୍ରାସ ପାଇଛି। ସେହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୧,୩୪,୬୯୪ରୁ ହ୍ରାସ ପାଇ ୧,୩୩,୫୪୪ ରହିଯାଇଛି। ଉଭୟ ଘରୋଇ ଓ ସରକାରୀ ବ୍ୟାଙ୍କ ତରଫରୁ ଶାଖାଠାରୁ ଦୂରରେ ଥିବା ଏଟିଏମ୍ଗୁଡ଼ିକୁ ବନ୍ଦ କରାଯାଇଛି। ଗୋଟିଏ ପଟେ ବ୍ୟାଙ୍କ ଦ୍ବାରା ପରିଚାଳିତ ଏଟିଏମ୍ ସଂଖ୍ୟା କମ୍ ହୋଇଥିବା ବେଳେ ଘରୋଇ ସଂସ୍ଥା ଦ୍ବାରା ସ୍ବାଧୀନ ଭାବେ ପରିଚାଳିତ ହ୍ବାଇଟ୍ ଲେବଲ୍ ଏଟିଏମ୍ ସଂଖ୍ୟା ୩୬,୨୧୬କୁ ବୃଦ୍ଧି ପାଇଛି। ବର୍ଷକ ପୂର୍ବରୁ ଦେଶରେ ଏଭଳି ୩୪,୬୦୨ଟି ଏଟିଏମ୍ ଥିଲା। ଶାଖା ଖୋଲିବାରେ କିନ୍ତୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗରେ ରହିଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କ ମୋଟ ଶାଖା ସଂଖ୍ୟା ୨.୮ ପ୍ରତିଶତ ବୃଦ୍ଧି ପାଇ ୧.୬୪ ଲକ୍ଷ ହୋଇଛି।












Click it and Unblock the Notifications