ସିଏଜି ରିପୋର୍ଟରୁ ବଡ଼ ଖୁଲାସା, ଦିଲ୍ଲୀରେ ନୂଆ ଅବକାରୀ ନୀତି ଯୋଗୁ ୨ହଜାର କୋଟି କ୍ଷତି
ଆଜି ହେଉଛି ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ଦ୍ୱିତୀୟ ଦିନ । ଶାସକ ବିଜେପି ସରକାର ଆଜି ଗୃହରେ ସିଏଜି ରିପୋର୍ଟ ଦାଖଲ କରିଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଗତକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାପରେ ଦିଲ୍ଲୀ ସରକାର ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅବକାରୀ ଦୁର୍ନୀତି ସହ ଜଡ଼ିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ୧୪ ସିଏଜି ରିପୋର୍ଟରୁ ମଙ୍ଗଳବାର ପ୍ରଥମ ରିପୋର୍ଟ ଉପସ୍ଥାପିତ ହୋଇଛି।
ନୂଆ ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାର ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। ପୂର୍ବରୁ ଜଣେ ବ୍ୟକ୍ତିକୁ ଗୋଟିଏ ଲାଇସେନ୍ସ ମିଳୁଥିଲା। କିନ୍ତୁ ନୂତନ ନୀତିରେ ଜଣେ ବ୍ୟକ୍ତିକୁ ଦୁଇ ଡଜନରୁ ଅଧିକ ଲାଇସେନ୍ସ ମିଳି ପାରୁଥିଲା। ମଦ ବିକ୍ରି କମିଶନ ୫ ପ୍ରତିଶତରୁ ବଢାଇ ୧୨ ପ୍ରତିଶତ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ,ଆଜି ବିଧାନସଭା ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟୋଗୋଳ । ଉପରାଜ୍ୟପାଳ ଅଭିଭାଷଣ ଦେବା ପରେ ବିରୋଧୀ ଆପ ଦଳ ବିଧାୟକ ମାନେ ହଙ୍ଗାମା କରିଥିଲେ । ଏଥିପାଇଁ ଆପ୍ ର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ବିରୋଧୀ ଦଳ ନେତା ଅତିଶିଙ୍କୁ ମଧ୍ୟ ଦିନକ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି ।

ଦ୍ବିତୀୟ ଦିନର ଅଧିବେଶନ ଆରମ୍ଭ ହେବା ମାତ୍ରେ ଆପ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ, କୌଣସି କଥା ନ ଶୁଣି, ବାଧା ସୃଷ୍ଟି କରି ଚାଲିଥିଲେ ଆପ୍ ବିଧାୟକ । ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ସେପଟେ ନିଲମ୍ବିତ ହେବା ପରେ ବିଧାନସଭା ପରିସରରେ ଧାରଣା ଦେିଛନ୍ତି ଆତିଶୀଙ୍କ ସହ ଅନ୍ୟ ଆପ ନେତା ।












Click it and Unblock the Notifications