୫ ବର୍ଷରେ ପ୍ରଥମ ଥର କମିଲା ସଂଖ୍ୟା, UPI ଯୋଗୁଁ କମିଛି ATM ବ୍ୟବହାର
ନୂଆଦିଲ୍ଲୀ: ଏଟିଏମ୍କୁ ଖାଇଗଲାଣି ୟୁପିଆଇ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଟିଏମ ସଂଖ୍ୟା ହ୍ରାସ ପାଇଛି। ଏନେଇ ସୋମବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି। ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି। ପୂର୍ବରୁ ୨୫୭୯୪୦ ଥିଲା ଏବେ ୨୫୫୦୭୮କୁ ହ୍ରାସ ହୋଇଛି । ସବୁଠୁ ଅଧିକ ହ୍ରାସ ଗ୍ରାମାଞ୍ଚଳରେ ହୋଇଛି ।
ଏଭଳି ଭାବେ ଏ ସଂଖ୍ୟାରେ ୧%ରୁ ସାମାନ୍ୟ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସବୁଠୁ ଅଧିକ ୨.୨% ହ୍ରାସ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି । ସେପ୍ଟେମ୍ବର ଶେଷରେ ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟା ହ୍ରାସ ପାଇ ୫୪,୧୮୬କୁ ଖସିଆସିଛି । ସଂସଦରେ ଜାରି ଆର୍ବିଆଇ ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଅବଧିରେ ମହାନଗରରେ ଏଟିଏମ୍ ସଂଖ୍ୟାରେ ୧.୬% ହ୍ରାସ ଘଟି ୬୭,୨୨୪କୁ ଖସିଆସିଛି ।
ୟୁପିଆଇ ଓ କାର୍ଡ ଯୋଗୁ ନଗଦ ବ୍ୟବହାର କମିଥିଲା ସଂସଦରେ କେନ୍ଦ୍ର ସରକାର ଦେଇଥିବା ଏକ ରିପୋର୍ଟରୁ ଜଣାପଡିଛି । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍ପେ', ଗୁଗୁଲ୍ ପେ', ପେଟିଏମ୍ ଏବଂ ଆମାଜନ୍ ପେ' ଆଦି କରୁଥିବା ଦେଖିବାକୁ ମିଳୁଛି । ଚା' ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍ରେ ପେମେଣ୍ଟ ହୋଇଯାଉଛି । ଆଉ ଏଟିଏମ୍ ଯାଇ ଟଙ୍କା ଉଠାଇବାର ଆବଶ୍ୟକତା ନାହିଁ ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଲେ ଯେ, ସରକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ବ୍ୟାଙ୍କଗୁଡ଼ିକ ଏଟିଏମ୍ ବନ୍ଦ କରିବାର ବିଭିନ୍ନ କାରଣ ରହିଛି । ବ୍ୟାଙ୍କଗୁଡ଼ିକର ମିଶ୍ରଣ, ବ୍ୟବସାୟିକ ଦୃଷ୍ଟିକୋଣରୁ ଉପଯୋଗିତା ହ୍ରାସ, ଏଟିଏମ୍ ସ୍ଥାନାନ୍ତର ଆଦି ଏଥିମଧ୍ୟରେ ସାମିଲ ରହିଛି । ବ୍ୟାଙ୍କର୍ମାନଙ୍କ କହିବାନୁସାରେ, ପେମେଣ୍ଟ୍ ଟୁଲ୍ ଭାବେ ୟୁପିଆଇ ଏବଂ କାର୍ଡର ବହୁଳ ବ୍ୟବହାର ଦ୍ୱାରା ନଗଦ ବ୍ୟବହାର କମୁଛି । ଫଳରେ ଏଟିଏମ୍ ଅବ୍ୟବହାରିକ ହୋଇଗଲାଣି ।












Click it and Unblock the Notifications