ମହାକାଳ ମନ୍ଦିରରେ ଅଘଟଣ: ଭସ୍ମ ଆରତୀ ବେଳେ ପୋଡିଗଲେ ୧୩ ସେବାୟତ
Ujjain Mahakal: ସୋମବାର ସକାଳେ ବିଶ୍ୱ ପ୍ରସିଦ୍ଧ ମହାକଳେଶ୍ୱର ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଭସ୍ମ ଆରତୀ ସମୟରେ ଗର୍ଭ ଗୃହରେ ନିଆଁ ଲାଗି ୧୩ ଜଣ ସେବାୟତ ପୋଡିଯାଇଛନ୍ତି । ସୂଚନା ଅନୁସାରେ,ସକାଳ ଆଳତୀ ସମୟରେ ପବିତ୍ର ହୋଲି ପାଇଁ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ତ ଘଟିଛି । ତେବେ ପୋଡିଯାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସେବକ ଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ମହାକାଳ ମନ୍ଦିରର ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚଣ୍ଟିମାନ ଗେହଲୋଟ୍ ଆହତ ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ରହିଛି ଏବଂ ଚିକିତ୍ସା ଜାରି ରହିଛି । ସେପଟେ ମନ୍ଦିର ସର୍ବସାଧାରଣ ଦର୍ଶନ ଜାରି ରହିଛି ।
ଖବର ଅନୁସାରେ, ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସକାଳ ୫.୪୫ରେ ଭସ୍ମ ଆରତୀ ହୋଇଥିଲା । ଶେଷରେ ବାବାଙ୍କୁ ଅବିର ଦିଆଯାଇଥିଲା । ଏହା ସହିତ ପୁରୋହିତମାନେ ମଧ୍ୟ ପରସ୍ପର ଉପରେ ଅବିର ପକାଇଥିଲେ । ଏହି ସମୟରେ ଆଳତୀ ଥାଳିରେ ଅବିର ପଡିଥିଲା, ଅବୀରରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଅଗ୍ନିକାଣ୍ତ ଘଟିଥିଲା । ଅନ୍ୟପଟେ ଗର୍ଭଗୃହର ରୂପା କାନ୍ଥକୁ ରଙ୍ଗ ଏବଂ ଅବିରରୁ ରକ୍ଷା କରିବା ପାଇଁ ସେଠାରେ ଫ୍ଲେକ ଥିଲା ସେଥିରେ ମଧ୍ୟ ନିଆଁ ଲାଗିଯାଇଥିବା ନେଇ ସୂଚନା ରହିଛି ।
ଏହି ଅଗ୍ନିକାଣ୍ତରେ ୧୩ ଜଣ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ ଯେ, ପାଖାପାଖି ୩୦ ବର୍ଷ ପୂର୍ବରୁ ମହାକାଳ ମନ୍ଦିରରେ ପରିସରରେ ଦୌଡାଦୌଡି ହୋଇଥିବା ଯେଉଁଥିରେ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏହା ପରେ ମନ୍ଦିର ପରିସରରେ ଗଛ ପଡିବା ଯୋଗୁଁ ମଧ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ମହାକାଳ ପରିସରରେ ରବିବାର ସଂଧ୍ୟାରୁ ହୋଲି ଖେଳ ଆରମ୍ଭ ହୋଇଯାଇଛି । ସଂଧ୍ୟା ଆଳତୀ ସମୟରେ ସର୍ବପ୍ରଥମେ ହଜାର ହଜାର ଶ୍ରଦ୍ଧାଳୁ ମହାକାଳରେ ପରିସରରେ ହୋଲି ଖେଳିଥିଲେ ଏହାସହ ହୋଲିକା ଦାହନ ମଧ୍ୟ କରାଯାଇଥିଲା । ରବିବାର ସକାଳେ ୧୦ କ୍ୱିଣ୍ଟାଲ ଫୁଲରେ ପକାଇ ଶ୍ରଦ୍ଧାଳୁ ମାନେ ହୋଲି ଖେଳିବା ଆରମ୍ଭ କରିଥିବା ନେଇ ସୂଚନା ରହିଛି ।












Click it and Unblock the Notifications