ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ ୧୦ ଆଇନ ଲାଗୁକଲେ ଷ୍ଟାଲିନ୍ ସରକାର
ଚେନ୍ନାଇ: ତାମିଲନାଡ଼ୁର ଡିଏମ୍କେ ସରକାର ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ଅନୁମୋଦନ ବିନା ୧୦ଟି ବିଲ୍କୁ ଆଇନ ରୂପେ ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ସୁପ୍ରିମ୍କୋର୍ଟ ଏହି ବିଲ୍ଗୁଡ଼ିକୁ ସ୍ୱତଃ ଅନୁମୋଦନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା ଆଇନ ପ୍ରଣୟନ ହେବା ବିଭିନ୍ନ ମହଲକୁ ବିସ୍ମିତ କରିଛି। ସଂଘୀୟ ଢାଞ୍ଚାରେ ଏଭଳି ଅଜବ ସ୍ଥିତି ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭବିଷ୍ୟତରେ ଆଇଗତ ଜଟିଳତା ସୃଷ୍ଟି ହେବା ମଧ୍ୟ ଆଶଙ୍କା ରହିଛି।
ଗତ ଏପ୍ରିଲ ୧୧ ତାରିଖରେ ରାଜ୍ୟ ସରକାର ୧୦ ଆଇନ ସମ୍ପର୍କରେ ଗେଜେଟ ଜାରି କରିଛନ୍ତି । ଏହି ବିଲଗୁଡିକ ବିଧାନସଭାରେ ଥରେ ଓ ସ୍ବତନ୍ତ୍ର ଅଧିବେଶନରେ ପୁଣି ଥରେ ଗୃହୀତ କରାଯିବା ପରେ ରାଜ୍ୟପାଳ ଆର.ଏନ. ରବିଙ୍କ ନିକଟକୁ ପଠାଯାଇଥିଲା । ମାତ୍ର ରାଜ୍ୟପାଳ ଏସବୁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଧାନସଭାରେ ଏକ ବିଲ ପାସ୍ ହେବା ପରେ ତାହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଏ ।

ରାଜ୍ୟପାଳ ଏହାକୁ ସ୍ବୀକୃତି ଦେଇପାରନ୍ତି କିମ୍ବା ସ୍ଥଗିତ ରଖିପାରନ୍ତି । ପରିବର୍ତ୍ତନ ବା ପୁନଃସମୀକ୍ଷା ଲାଗି ବିଧାନସଭାକୁ ପଠାଇପାରନ୍ତି କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି । ତେବେ ରାଜ୍ୟପାଳଙ୍କଠାରୁ ଫେରସ୍ତ ଆସିଥିବା କୌଣସି ଅପରିବର୍ତ୍ତିତ ବା ପରିବର୍ତ୍ତିତ ବିଲ୍ ପୁଣି ଥରେ ବିଧାନସଭାରେ ଗୃହୀତ ହେଲେ ଏହାକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ ।
ଯଦି ହାଇକୋର୍ଟ କିମ୍ବା କେନ୍ଦ୍ର ସମ୍ପର୍କିତ ବିଷୟ ଥାଏ ତେବେ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ହେଲେ ତାମିଲନାଡୁ କ୍ଷେତ୍ରରେ ବିଧାନସଭାରେ ପୁନଃଗୃହୀତ ହୋଇଥିବା ବିଲଗୁଡିକୁ ମଞ୍ଜୁରୀ ନଦେଇ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।












Click it and Unblock the Notifications