ଆକାଶରୁ ବର୍ଷୁଛି ନିଆଁ , ଲୁ ଯୋଗୁ ବିହାରରେ ଗଲା ୧୪ ଜଣଙ୍କ ଜୀବନ
ଆକାଶରୁ ବର୍ଷା ହେଉଛି ନିଆଁ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ । ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି । ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ହେଲେ ଏହି ରେକର୍ଡ ତାପମାତ୍ରାକୁ ଆଜି ନାଗପୁର ଅତିକ୍ରମ କରି ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଲୁ ଯୋଗୁ ବିହାରରେ ୧୦ ମତଦାନ କର୍ମୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଅଧିକାଂଶ ମୃତ୍ୟୁ ଭୋଜପୁରରେ ହୋଇଛି, ଯେଉଁଠି ନିର୍ବାଚନ ଡ୍ୟୁଟିରେ ଥିବା ୫ ଜଣ ପୋଲିଂ ଅଧିକାରୀଙ୍କୁ ଲୁ ଯୋଗୁ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ ରୋହତାସରେ ୩ ଜଣ ପୋଲିଂ ଅଧିକାରୀ ପ୍ରାଣ ହରାଇଛନ୍ତି । ସେହିପରି କୈମୁର ଏବଂ ଔରଙ୍ଗାବାଦରେ ଜଣେ ଲେଖାଏଁ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସେହିପରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଲୁ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି । ବୟାନରେ କୁହାଯାଇଛି ଯେ ମୃତକଙ୍କ ପରିବାରକୁ ଅନୁଗ୍ରହ ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଛି । ଅନେକ ସ୍ଥାନର ତାପମାତ୍ରା ୪୪ ଡିଗ୍ରି ସେଣ୍ଟିଗ୍ରେଡ ପାର କରିଯାଇଛି । ବକ୍ସରରେ ଗୁରୁବାର ୪୭.୧ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ରାଜ୍ୟର ସବୁଠୁ ଉତପ୍ତ ସ୍ଥାନ ପାଲଟିଛି ।












Click it and Unblock the Notifications