କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ୩ ସପ୍ତାହ ମଧ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେଲା ପଞ୍ଜୀକରଣ, ଆପଣ ହୋଇନାହଁନ୍ତି କି ସାମିଲ?
କେନ୍ଦ୍ର ସରକାର କିଛିଦିନ ପୂର୍ବରୁ ଆରମ୍ଭ କରିଥିବା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୭୦ ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ୧୦ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହି କାର୍ଡ ଜରିଆରେ ବରିଷ୍ଠ ନାଗରିକମାନେ ନିଃଶୁଳ୍କ ସ୍ଵାସ୍ଥ୍ୟସେବା ପାଇପାରିବେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହି ସୁବିଧା ପ୍ରଦାନ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭିଯାନ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ୧୦ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଅକ୍ଟୋବର ମାସ ୨୯ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ସୂଚନା ଅନୁଯାୟୀ ୪ଲକ୍ଷ ମହିଳା ଏହି କାର୍ଡ ପାଇଁ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ବୟସ୍କଙ୍କ ଲାଗି ଏହି ଯୋଜନା ଆରମ୍ଭ ହେବା ପରଠାରୁ ୭୦ ବର୍ଷ ବୟସରୁ ଅଧିକ ୪ ହଜାର ୮୦୦ ବରିଷ୍ଠ ନାଗରିକଙ୍କୁ ୯ କୋଟି ଟଙ୍କାର ସ୍ଵାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୧ ହଜାର ୪୦୦ ଜଣ ମହିଳା ଅଛନ୍ତି ।

ଏହି କାର୍ଡ ଜରିଆରେ ବୟସ୍କ ବ୍ୟକ୍ତିମାନେ ଆଞ୍ଜିଓପ୍ଲାଷ୍ଟି, ଅସ୍ଥିଶଲ୍ୟ ଚିକିତ୍ସା, ପିତ୍ତକୋଷ ବାହାର କରିବା, ଆଖୁ ଅପରେସନ, ପ୍ରୋଷ୍ଟେଟ୍ ଅପରେସନ ଏବଂ ହୃଦ୍ଘାତ ଜନିତ ରୋଗର ଚିକିତ୍ସା ଲାଭ ପାଇଛନ୍ତି । ଚଳିତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆୟୁଷ୍ମାନ ଭାରତ ଯୋଜନାର ସଂପ୍ରସାରଣ ସ୍ଵରୂପ ୭୦ବର୍ଷରୁ ଅଧିକ ବୟସ୍କଙ୍କୁ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇଦେବା ଲାଗି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ ।












Click it and Unblock the Notifications