'ମୋମୋ' ଖାଇବା ହେଲା କାଳ, ଜଣେ ମୃତ, ୧୫ରୁ ଉର୍ଦ୍ଧ୍ବ ଗୁରୁତର
ନୂଆଦିଲ୍ଲୀ : ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ମୋମୋ ଖାଇବାକୁ ଭଲ ପାଆନ୍ତି। ହେଲେ ଏହି ମୋମୋ ଖାଇବା ଏବେ କିଛି ଜଣଙ୍କୁ ମହଙ୍ଗା ପଡ଼ିଛି। ମୋମୋ ଖାଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ତେବେ ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। ହାଇଦ୍ରାବାଦର ବଞ୍ଜାରା ହିଲ୍ସର ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାୟ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ଏନେଇ କିଛି ପୀଡିତ ବଞ୍ଜାରା ହିଲ୍ସ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ମୁତାବକ, ଶୁକ୍ରବାର ଦିନ ଗୋଟିଏ ହିଁ ଷ୍ଟଲରୁ କିଛି ଲୋକ ମୋମୋ ଖାଇଥିଲେ। ତେବେ ମୋମୋ ଖାଇବାର ଘଣ୍ଟାକ ପରେ ଏମାନଙ୍କୁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡ଼ା ହୋଇଥିଲା। ଏହାପରେ ବଞ୍ଜାର ହିସ୍ଲ ସ୍ଥିତ ବିଭିନ୍ନ ହସ୍ପିଟାଲରେ ଏମାନେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ରେଶମା ବେଗମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ନିଜାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଲିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ପୋଲିସ କହିବା ମୁତାବକ, ଚିନ୍ତାଲ ବସ୍ତିରେ ଥିବା 'ଦିଲ୍ଲୀ ମୋମୋ' ଷ୍ଟଲରୁ ସମସ୍ତ ୧୫ ଜଣ ବ୍ୟକ୍ତି ମୋମୋ ଖାଇଥିଲେ। ମୋମୋ ଖାଇବା ସହ ମେୟୋନିଜ୍ ଓ ଚଟନି ମଧ୍ୟ ଖାଇଥିଲେ। ଏଥିଲାଗି ଖାଦ୍ୟରେ ବିଷ କ୍ରିୟା ହୋଇଥିବା ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।ପୋଲିସ ଉକ୍ତ ଫୁଡ୍ ଷ୍ଟଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ସିଭିକ୍ ଏଜେନ୍ସିମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବଞ୍ଜାରା ହିସ୍ଲ ନିକଟରେ ଥିବା ଅନ୍ୟ ଫୁଡ୍ ଷ୍ଟଲରୁ ମୋମୋର ନମୂନା ସଂଗ୍ରହ କରାଯଇଥିବା ବେଳେ ତଦନ୍ତ ଜାରି ରହିଛି।












Click it and Unblock the Notifications