ମଧ୍ୟାହ୍ନ ଭୋଜନ ପରେ କାହିଁକି ସମସ୍ତଙ୍କୁ ଆସେ ନିଦ ? ଜାଣନ୍ତୁ ଏଥିରୁ କେମିତି ପାଇବେ ମୁକ୍ତି
ମଧ୍ୟାହ୍ନ ଭୋଜନ ପରେ ପ୍ରାୟ ସମସ୍ତଙ୍କୁ ନିଦ ଆସିଥାଏ । ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏପରି ହୋଇଥାଏ, ନ ଶୋଇଲା ପର୍ଯ୍ୟନ୍ତ ସେମାନଙ୍କୁ କିଛି ଭଲ ଲାଗିନଥାଏ । ଏହି କାରଣରୁ ଅଧିକାଂଶ ଲୋକେ ଚିଡିଚିଡା ମଧ୍ୟ ଅନୁଭବ କରିଥାନ୍ତି । କାରଣ କାର୍ଯ୍ୟକ୍ଷେତ୍ରରେ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ଥିବା ସମୟରେ ଏପରି ନିଦ ଆସିବା ସେମାନଙ୍କୁ ବିରକ୍ତ ସ୍ବଭାବର କରିଦେଇଥାଏ । ତେବେ ଏହାର କାରଣ କଣ, ଦିନରେ ଖାଇ ସାରିବା ପରେ କାହିଁକି ଆସେ ନିଦ, ଏଥିପାଇଁ କେଉଁ ଖାଦ୍ୟ ଦାୟୀ ଜାଣନ୍ତି କି ? ନିମ୍ନରେ ଏ ବାବଦରେ ବର୍ଣ୍ଣନା କରାଯାଇଛି...

ବିଶେଷ କରି ଭାତ ଖାଇବା ପରେ ଅଧିକ ନିଦ ଆସିଥାଏ । ଏହାର ମୁଖ୍ୟ କାରଣ ହେଉଛି ଚାଉଳରେ ଥିବା ଗ୍ଲୁକୋଜ ଶୀଘ୍ର ରକ୍ତରେ ଶୋଷିତ ହୁଏ । ସେହିପରି ଭାତରୁ ମେଲାଟୋନିନ୍ ଏବଂ ସେରୋଟୋନିନ୍ ପରି ହରମୋନ୍ ମଧ୍ୟ କ୍ଷରିତ ହୁଏ । ଏଗୁଡିକ ହାଲୁକା ଭାବେ ଆରାମ ଏବଂ ଅଳସୁଆ ଅନୁଭବ କରାଇବାରେ ସହାୟକ ହୋଇଥାନ୍ତି । ତେବେ କେବଳ ଭାତ ନୁହେଁ... ଅନେକ ପ୍ରକାରର କାର୍ବୋହାଇଡ୍ରେଟ୍ ଖାଦ୍ୟ ରହିଛି, ଯେଉଁଥିପାଇଁ ସେଗୁଡିକୁ ଖାଇବା ପରେ ଜୋରରେ ନିଦ ଆସିଥାଏ ।
ସ୍ୱାଭାବିକ ଭାବେ, ଅପରାହ୍ନରେ ମାନସିକ ଶକ୍ତି ହ୍ରାସ ପାଇଥାଏ । ଯଦି ଆପଣ ଏହି ସମୟରେ ଭାତ ଖାଆନ୍ତି, ତେବେ ଅଧିକ ନିଦ୍ରା ଅନୁଭବ ହୋଇଥାଏ । ତେଣୁ କିଛି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଭଲ । ଏହା ଡୋପାମାଇନ୍ ଏବଂ ଏପିନେଫ୍ରାଇନ୍ ପରି ସକ୍ରିୟ ରାସାୟନିକ ପଦାର୍ଥକୁ ମସ୍ତିଷ୍କକୁ ସିନ୍ଥାଇଜ୍ କରିବାରେ ସାହାଯ୍ୟ କରେ । ଶରୀର ଅଧିକ ଶକ୍ତି ପାଇଥାଏ । କାର୍ଯ୍ୟରେ ଗତି ମଧ୍ୟ ବୃଦ୍ଧି ପାଏ, ଫଳରେ ନିଦ ଆସିନଥାଏ ।
ଯଦି ଆପଣ ଭାତ ଖାଇବାକୁ ଏଡ଼ାଇ ପାରିବେ ନାହିଁ, ତେବେ ନିୟମିତ ଖାଦ୍ୟରେ ବାସୁମତି ଚାଉଳ ବ୍ୟବହାର କରିବା ଭଲ । ଏଗୁଡ଼ିକରେ ଥିବା ଗ୍ଲୁକୋଜ ଶୀଘ୍ର ରକ୍ତରେ ପ୍ରବେଶ କରେ ନାହିଁ । ସେହିପରି କମ୍ ପରିମାଣରେ ଖାଦ୍ୟ ଗ୍ରହଣ କରିବା ଭଲ । କମ୍ ଖାଦ୍ୟ ଖାଇଲେ ବିଶେଷ ନିଦ ଆସିନଥାଏ ।
ଚାଉଳ ବଦଳରେ ଆପଣ ଜୱାର, ମାଣ୍ଡିଆ ଏବଂ ଗହମରେ ତିଆରି ରୁଟି ଖାଇପାରିବେ । ରୁଟି ସହିତ ପନିର୍ କିମ୍ବା ସୋୟାବିନ୍ ଖାଇପାରିବେ । ଯଦି ଆପଣ ଶାକାହାରୀ ନୁହଁନ୍ତି, ତେବେ ବିଭିନ୍ନ ପନିପରିବା ସାଲାଡ୍ ସହିତ ଚିକେନ୍ ଖାଇପାରିବେ, ଏଗୁଡିକ ଖାଇବା ଦ୍ବାରା ନିଦ ଆସିନଥାଏ ।












Click it and Unblock the Notifications