Whatsapp: ହ୍ବାଟ୍ସଆପ୍ରେ ଡାଟା ଶେୟାରିଂ ନିଷେଧାଦେଶ ସ୍ଥଗିତ
ହ୍ବାଟ୍ସଆପ୍ରେ ଡାଟା ଶେୟାରିଂ ନିଷେଧାଦେଶ ସ୍ଥଗିତ। ମାର୍କ ଜୁକରବର୍ଗଙ୍କ ମାଲିକାନାରେ ଥିବା ମେଟା ଅଧୀନ ମେସେଜ୍ ଶେୟାରିଂ ଆପ୍ ହ୍ବାଟ୍ସଆପ୍ ୟୁଜର୍ସଙ୍କ ଡେଟାକୁ ଏହି କମ୍ପାନୀର ଫେସ୍ବୁକ୍, ଇନ୍ଷ୍ଟ୍ରାଗ୍ରାମ୍ ଏବଂ ଥ୍ରେଡ୍ସ ସହ ଶେୟାର କରାଯିବା ନେଇ ବିବାଦ ଉପୁଜିଥିଲା। ୨୦୨୪ ନଭେମ୍ବର ୧୮ରେ କମ୍ପିଟିଶନ୍ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଡେଟା ଶେୟାର ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି କରିବା ସହ ୨୧୩.୧୪ କୋଟି ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମେଟା ନ୍ୟାଶନାଲ କମ୍ପାନୀ ଲ' ଆପିଲେଟ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ଟ୍ରିବ୍ୟୁନାଲ ହ୍ବାଟ୍ସଆପ୍ର ଡେଟା ଶେୟାର ବ୍ୟାନ୍ ଉପରେ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ମେଟାକୁ ବଡ଼ ଆଶ୍ୱସ୍ତି ମିଳିଛି।

ହ୍ବାଟ୍ସଆପ୍ ଏହାର ପ୍ରିଭେସି ପଲିସି ବଦଳାଇ ଡେଟାଗୁଡ଼ିକୁ ମେଟାର ଅନ୍ୟ ପ୍ଲାଟ୍ଫର୍ଗଗୁଡ଼ିକ ସହ ଶେୟାର କରୁଥିବା ନେଇ ଏକାଧିକ ଅଭିଯୋଗ ଆସିବା ସହ ଉଦ୍ବେଗ ପ୍ରକାଶ ପାଇଥିଲା। ସିସିଆଇ ଏହାର ଶୁଣାଣି କରି ହ୍ବାଟ୍ସଆପ୍ର ଡେଟା ଶେୟାରିଂ ଉପରେ ନିଷେଧାଦେଶ ଲଗାଇଥିଲେ। ୨୦୨୧ରେ ହ୍ବାଟ୍ସଆପ୍ ଏହାର ନୀତିରେ ପରିବର୍ତ୍ତନ କରି ୟୁଜରମାନଙ୍କୁ ଏହାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରୁଥିବା ସିସିଆଇ ଜାଣିବାକୁ ପାଇଥିଲେ। ଗ୍ରାହକ ଏହା ନ କଲେ ଆପ୍କୁ ସେମାନଙ୍କ ଆକ୍ସେସ୍ ସୀମିତ କରାଯିବ ବୋଲି ଧମକ ଦିଆଯାଉଥିଲା। ତେବେ ଇଚ୍ଛାଧୀନ ବ୍ୟବସାୟିକ ମେସେଜିଂ ଫିଚରଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏଭଳି କରାଯାଉଥିବା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଉଥିଲା।












Click it and Unblock the Notifications