ଗ୍ରୀନ ଟି' ସାଜିପାରେ ଆପଣଙ୍କ ଶତ୍ରୁ, କେଉଁ ସମସ୍ୟାକୁ କରୁଛି ଆମନ୍ତ୍ରଣ ?
ଆଜିକାଲିର ଖରାପ ଦିନଚର୍ଯ୍ୟା ଓ ପ୍ରଦୁଷଣ ତଥା ଖରାପ ଖାଦ୍ୟପେୟ ଶୈଳୀ ଆମର ସ୍ବାସ୍ଥ୍ୟକୁ ବେଶି ଖରାପ କରୁଛି । ତେଣୁ ଧିରେ ଧିରେ ସମସ୍ତେ ଏନେଇ ସଚେତନ ହେବା ସହିତ ନିଜ ଖାଦ୍ୟରେ ଗ୍ରୀନ ଟି' ସାମିଲ କରିବାରେ ଲାଗିଛନ୍ତି । ଆମେ ସମସ୍ତେ ଜାଣିଛେ ଗ୍ରୀନ ଟି'ରେ ଆଣ୍ଟି ଅକ୍ସିଡ଼ାଣ୍ଟସ୍ ଭରପୂର ମାତ୍ରାରେ ରହିଥାଏ । ମାତ୍ର ସବୁ ଭଲ ଖାଦ୍ୟପେୟକୁ ଏକ ସଠିକ ପରିମାଣରେ ଗ୍ରହଣ କରିବା ଉଚିତ । ମାତ୍ରାଧିକ ସେବନ ଆପଣଙ୍କ ଶରୀରକୁ ହାନି ପହଞ୍ଚାଇଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ମାତ୍ରାରେ ଗ୍ରୀନ ଟି'ର ସେବନ କରୁଥାନ୍ତି, ତେବେ ଏହା ଆପଣଙ୍କ ଶରୀରର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରିପାରେ । ଚାଲନ୍ତୁ ଜାଣିବା ଏହି ଖବରରେ...
ବଢୁଛି ଗ୍ରୀନ ଟି'ର ଲୋକପ୍ରିୟତା:
ଦିନକୁ ଦିନ ଗ୍ରୀନ ଟି'କୁ ସ୍ବାସ୍ଥ୍ଯ ବର୍ଦ୍ଧକ ପାନୀୟ ଭାବେ ବହୁ ପ୍ରଚାର କରାଯାଉଛି । ତେଣୁ ଏହାକୁ ଘର ଓ ଅଫିସରେ ବ୍ୟକ୍ତି ମାନେ ଅଧିକ ମାତ୍ରାରେ ଗ୍ରହଣ କରିବାରେ ଲାଗୁଛନ୍ତି । ଏପରିକି କିଛି ଲୋକ ଗ୍ରୀନ ଟି'କୁ ଓଜନ କମାଇବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ଗ୍ରୀନ ଟି' କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମାଇବାରେ ସାହାଯ୍ୟ କରିଥାଏ । ଡାଇବେଟିସ ନିୟନ୍ତ୍ରଣ କରିବାରେ ଏହା ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । କେବଳ ଏତିକି ନୁହେଁ ହୃଦୟ ସମ୍ବନ୍ଧିତ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ କମ୍ କରିବାରେ ଏହା ବିଶେଷ ସହାୟକ ହୋଇଥାଏ । ହେଲେ ବିଶେଷଜ୍ଞମାନେ ଗ୍ରୀନ ଟି' ସେବନର ପରିମାଣ ଉପରେ ଧ୍ୟାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏପରି ଗମ୍ଭୀର ରୋଗରେ ପୀଡିତ ଲୋକମାନେ ଗ୍ରୀନ ଟି' ସେବନରୁ ଦୂରେଇ ରହିବା ଉଚିତ । ତେବେ ଚାଲନ୍ତୁ ଜାଣିବା ଗ୍ରୀନ ଟି' ସେବନର ଫାଇଦା ଓ କ୍ଷତି ବିଷୟରେ...
ଲିଭର ସମସ୍ୟା ବୃଦ୍ଧି:
ବହୁ ଅଧ୍ୟୟନରୁ ପ୍ରକାଶ ଗ୍ରୀନ ଟି'ର ଅତ୍ୟଧିକ ବ୍ୟବହାର ଲିଭର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନର ଏକ ଅଧ୍ୟୟନରୁ ପ୍ରକାଶ ଗ୍ରୀନ ଟି'ରେ ଥିବା କ୍ୟାଟେଚିନ୍ସ, ହେପେଟୋଟକ୍ସିସିଟିର କାରଣ ହୋଇପାରେ । ସେଥିପାଇଁ ଲିଭର ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ବିନା ଗ୍ରୀନ ଟି' ସେବନ କରିବା ଅନୁଚିତ ।

ପାଚନ ସମ୍ବନ୍ଧୀୟ ସମସ୍ୟା:
ବିଶେଷଜ୍ଞଙ୍କ କୁହନ୍ତି, ଗ୍ରୀନଟି'ରେ ଥିବା ଟ୍ୟାନିନ ଶରୀରରେ ଏସିଡ ସମସ୍ୟାକୁ ବୃଦ୍ଧି କରିଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥର ଅଧ୍ୟୟନ ମୁତାବକ ଗ୍ରୀନ ଟି'ର ମାତ୍ରାଧିକ ସେବନ ଦ୍ବାରା କୋଷ୍ଠକାଠିନ୍ୟ, ଅସ୍ଥିରତା ଅନୁଭବ କରିବା ସହିତ ରକ୍ତଚାପସ୍ତର ବୃଦ୍ଧି ପାଇବା ଭଳି ସମସ୍ୟା ଦେଖାଦେଇଥାଏ ।
ମୁଣ୍ଡବିନ୍ଧା ସମସ୍ୟା:
ବିଶେଷଜ୍ଞଙ୍କ ଅନୁଯାୟୀ ଗ୍ରୀନ ଟି'ର ଅଧିକ ସେବନ ଦ୍ବାରା ଶରୀରରେ ଛୋଟ ମୋଟ ପରିବର୍ତ୍ତନ ଆସିପାରେ । ମୁଣ୍ଡବିନ୍ଧା ଏପରି ଏକ ପ୍ରଥମ ସମସ୍ୟା ଅଟେ । ଅଧିକ ଗ୍ରୀନ ଟି' ସେବନ ଦ୍ବାରା ଅନିଦ୍ରା, ଚିଡଚିଡାପଣ, ହୃତସ୍ପନ୍ଦନ ବଢିବା ଓ ଚିନ୍ତା ବୃଦ୍ଧି ପାଇବା ଭଳି ସମସ୍ୟା ବୃଦ୍ଧି ପାଇଥାଏ ।
ଆଇରନର ମାତ୍ରା ହ୍ରାସ:
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନର କହିବା ଅନୁଯାୟୀ, ଗ୍ରୀନ ଟି' ଶରୀରକୁ ଆବଶ୍ୟକ ଜରୁରୀ ପୋଷକର ଅବଶୋଷଣରେ ବାଧା ଆଣିଥାଏ । ଏହାକୁ ଅତ୍ୟଧିକ ମାତ୍ରାରେ ସେବନ ଦ୍ବାରା ଶରୀରରେ ଆଇରନର ମାତ୍ରା ହ୍ରାସ ଓ ରକ୍ତହୀନତା ଭଳି ସମସ୍ୟା ଦେଖାଦେଇଥାଏ ।
ଏହା ମଧ୍ୟ ପଢନ୍ତୁ: ମାଣ୍ଡିଆ ଖାଇଲେ ହ୍ରାସ ହୁଏ କି ଓଜନ? ଜାଣନ୍ତୁ ସଠିକ୍ ପଦ୍ଧତି ଓ ଲାଭ
ହାଡକୁ ଦୁର୍ବଳ କରେ:
ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି, ଗ୍ରୀନ ଟି'ର ଅତ୍ୟଧିକ ସେବନ ଦ୍ବାରା ଶରୀରରେ କ୍ୟାଲସିୟମ ଅବଶୋଷଣରେ ଅସୁବିଧା ହୋଇଥାଏ । ସେଥିପାଇଁ ବିଶେଷଜ୍ଞମାନେ ଦୁର୍ବଳ ହାଡ ତଥା ଅଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗ୍ରୀନ ଟି' ବର୍ଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ:
ଗ୍ରୀନ ଟି'ରେ କ୍ୟାଫିନ ରହିଥାଏ । ବିଶେଷଜ୍ଞଙ୍କ ମାତ ଅନୁସାରେ ଗର୍ଭବତୀ ମହିଳା ଯଦି ଅତ୍ୟଧିକ କ୍ୟାଫିନ ସେବନ କରନ୍ତି ତେବେ ତାଙ୍କୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କିଛି ଅଧ୍ୟୟନରୁ ପ୍ରକାଶ ଅଧିକ ଗ୍ରୀନ ଟିର ସେବନ କରିବା ଦ୍ବାରା ଶରୀରରେ ଫଲିକ ଏସିଡର ମାତ୍ରା କମ୍ ହୋଇଥାଏ । ତେଣୁ ଗର୍ଭବତୀ ମହିଳାମାନେ ଗ୍ରୀନ ଟି' ସେବନ ଆଗରୁ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।
ଏହା ମଧ୍ୟ ପଢନ୍ତୁ: ଡାଇବେଟିସ ରୋଗୀ ବି ଖାଇପାରିବେ ଚକୋଲେଟ, ଡାର୍କ ଚକୋଲେଟର ଅଛି ଏସବୁ ଫାଇଦା
ଔଷଧ ସହିତ ରାସାୟନିକ ପ୍ରକ୍ରିୟା:
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ଅନୁଯାୟୀ, ଗ୍ରୀନ ଟି' କିଛି ଔଷଧ ସହିତ ରାସାୟନିକ ପ୍ରକ୍ରିୟା କରିଥାଏ । ଏପରି ହେବା ଦ୍ବାରା ଶରୀରରେ ନକାରାତ୍ମକ ପ୍ରଭାବ ପଡିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇଫେଡ୍ରିନ, ଏଟୋରୱାଷ୍ଟେଟିନ ଭଳି ଔଷଧର ପ୍ରଭାବ କମ୍ କରିଥାଏ ଗ୍ରୀନ ଟି'। ତେଣୁ ଏହି ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଗ୍ରୀନ ଟି' ସେବନ କରନ୍ତୁ ।
ଗ୍ରୀନ ଟି' ଆମ ଶରୀର ପାଇଁ ହିତକର ଅଟେ । ଏହାର ବହୁ ଫାଇଦା ରହିଛି । ମାତ୍ର ବିଶେଷଜ୍ଞଙ୍କ ମୁତାବକ ଅଧିକମାତ୍ରାରେ ଏହାର ସେବନ ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏପରିକି ସୁସ୍ଥ ଲୋକଙ୍କୁ ଦୈନିକ 2-3 କପରୁ ଅଧିକ ଗ୍ରୀନ ଟି' ନ ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । ମାତ୍ର ଯଦି ଆପଣ କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ତେବେ ଆପଣ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଗ୍ରହଣ କରନ୍ତୁ ।
Disclaimer: (ଏହି ରିପୋର୍ଟ ଆପଣଙ୍କ ସୂଚନା ପାଇଁ । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।












Click it and Unblock the Notifications