Gold: ୩ ସପ୍ତାହରେ ସୁନା ୭ ହଜାର ମହଙ୍ଗା, ରୁପା ଦର ୩୯ ହଜାର ବଢ଼ିଛି
ଚଳିତବର୍ଷ ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି ରହିଛି । ଗତ ୩ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ପାଖାପାଖି ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୬୩୦୦ ଟଙ୍କା ମହଙ୍ଗା ହୋଇଛି।
ତେବେ ଶୁକ୍ରବାର ତୁଳନାରେ ଶନିବାର ସୁନା ଦର ସାମାନ୍ୟ କମିଛି। ୩ ସପ୍ତାହ ପୂର୍ବରୁ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧,୨୭,୦୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୧୬,୪୫୦ ଟଙ୍କା ରହିଥିଲା।
ସାଧାରଣ ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ରୁପା ଦର ବୃଦ୍ଧି ସୁନାକୁ ବଳିଯାଇଛି। ଗତ ୩ ସପ୍ତାହରେ କିଲୋଗ୍ରାମ ପିଛା ରୁପା ଦର ୩୯ ହଜାର ଟଙ୍କା ବୃଦ୍ଧି ଘଟିଛି। ଶନିବାର ଭୁବନେଶ୍ବର ବଜାରରେ ରୁପା ଦର ୨,୧୦,୦୦୦ ଟଙ୍କାରେ ରହିଛି। ଗତକାଲି ତୁଳନାରେ ଏଥିରେ ୫ ହଜାର ଟଙ୍କା ହ୍ରାସ ଘଟିଛି।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୫୬,୫୪୮ ଟଙ୍କା (୭୪.୨୫ ପ୍ରତିଶତ) ଏବଂ ରୁପା ଦର କିଲୋଗ୍ରାମ ପିଛା ୧,୦୯,୧୬୩ ଟଙ୍କା (୧୨୬.୯୧ ପ୍ରତିଶତ) ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଭୂରାଜନୈତିକ ଅନିଶ୍ଚିତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣିବା ଫଳରେ ଏହି ଧାତୁର ଦର ବଢ଼ୁଛି। ଅନ୍ୟପକ୍ଷରେ ରୁପାକୁ କେବଳ ଗହଣା ଭାବେ ବ୍ୟବହାର କରାଯାଉନାହିଁ। ସୋଲାର, ଇଲେକ୍ଟ୍ରୋନିକ୍ସ ଓ ଇଭି ଶିଳ୍ପରେ ଏହାର ବ୍ୟବହାର ବଢ଼ୁଛି। ଏଥିସହିତ ଅନ୍ୟ କେତେକ କାରଣରୁ ବଜାରରେ ରୁପା ଦର ବଢ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।












Click it and Unblock the Notifications