Diwali 2025: ଦୀପାବଳି ପଛରେ କ'ଣ ରହିଛି ମାନ୍ୟତା ?
ଦୀପାବଳି ପାଇଁ ସାରାଦେଶ ଏବେ ଉତ୍ସବମୁଖର । ଉତ୍ତର ଭାରତଠାରୁ ଆରମ୍ଭ କରି ଦକ୍ଷିଣ ଭାରତ, ପୂର୍ବଭାରତରୁ ଆରମ୍ଭ କରି ପଶ୍ଚିମଭାରତ ପର୍ଯ୍ୟନ୍ତ ଏହି ଆଲୋକର ପର୍ବ ପାଇଁ ଉତ୍ସାହ ଦେଖାଯାଉଛି । ତେବେ ଏହି ଉତ୍ସବ ପଛର କାହାଣୀ କଣ ?
ଏହା ପଛରେ ଅନେକ କାହାଣୀ ରହିଛି । ତେବେ ସବୁଠାରୁ ଅଧିକ ପ୍ରଚଳିତ ମାନ୍ୟତା ରାମାୟଣ ସହ ଜଡ଼ିତ ।

- ତ୍ରେତାୟୁଗରେ ଭଗବାନ୍ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଚଉଦ ବର୍ଷ ପରେ ବନବାସରୁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ସମୟରେ ଅଯୋଧ୍ୟାବାସୀ ଲୋକେ ରାମଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ପ୍ରଦୀପ ଜ୍ୱାଳି ଆନନ୍ଦ ଓ ଆଲୋକ ଦ୍ୱାରା ସ୍ୱାଗତ କରିଥିଲେ। ସେଥିଠାରୁ କାର୍ତ୍ତିକ ଅମାବାସ୍ୟା ଦିନକୁ 'ଦୀପାବଳୀ' ଭାବରେ ପାଳନ କରାଯାଉଛି।
- ଦ୍ୱାପରଯୁଗରେ କାର୍ତ୍ତିକ ଅମାବାସ୍ୟା ଦିନେ ଭଗବାନ୍ ଶ୍ରୀକୃଷ୍ଣ ତାରକାସୁରକୁ ବଧ କରି ଷୋଳ ହଜାର ଗୋପାଙ୍ଗନାଙ୍କୁ ଉଦ୍ଧାର କରିଥିଲେ। ସେହି ଆନନ୍ଦରେ ସମଗ୍ର ଦ୍ୱାରକାନଗରୀ ଆଲୋକ ସଜାଇ ଦୀପାବଳୀ ପାଳନ କରିଥିଲେ। ଏହି ମାନ୍ୟତା ମୁଖ୍ୟତଃ ଦକ୍ଷିଣ ଭାରତରେ ପ୍ରଚଳିତ ।
- ଆଉ ଏକ ମାନ୍ୟତା ଭାଗବାନ ବାମନ ଓ ବଳିଙ୍କୁ ନେଇ ପ୍ରଚଳିତ । କୁହାଯାଏ ଭଗବାନ ବିଷ୍ଣ ନିଜ ପ୍ରତିଶ୍ରୁତି ଅନୁସାରେ ଦୀପାବଳି ଦିନ ହିଁ ପାତାଳ ଲୋକକୁ ଯାଇ ବଳୀଙ୍କୁ ଦର୍ଶନ ଦିଅନ୍ତି ।
- ଶଙ୍କରାଚାର୍ଯ୍ୟ ଏହି ଦୀପାବଳୀ ଦିନରେ ପରକାୟ ପ୍ରବେଶ କରି ପୁନର୍ଜୀବନ ଲାଭ କରିଥିଲେ। ତାଙ୍କ ଅନୁଗାମୀମାନେ ସେହି ଦିନକୁ ସ୍ମାରକୀ ସ୍ୱରୂପେ ଆଲୋକବର୍ତ୍ତିକା ଜାଳି ଉତ୍ସବ ପାଳନ କରିଥିଲେ। ସେହିପରି ଏହି ଉତ୍ସବକୁ 'ଦୀପାବଳୀ ଉତ୍ସବ' ଭାବେ ମାନ୍ୟତା ମିଳିଲା।
- ଆଉ ଏକ ମାନ୍ୟତା ଜୈନ ପରମ୍ପରା ସହ ଜଡ଼ିତ । ଜୈନ ମାନ୍ୟତା ଅନୁସାରେ ୨୪ତମ ତୀର୍ଥଙ୍କର ଭଗବାନ ମହାବୀର ଏହି ଦିନ ନିର୍ବାଣ ପ୍ରାପ୍ତ କରିଥିଲେ । ସେହିପରି ଶିଖମାନେ ଏହାକୁ ବନ୍ଦୀଛୋଡ୍ ଦିବସ ଭାବେ ପାଳନ କରନ୍ତି ।
- ଓଡ଼ିଶାରେ ବଡବଡୁଆ (ପିତୃପୁରୁଷ) ମାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ସମ୍ମାନ ପ୍ରଦର୍ଶନ କରନ୍ତି। ଏହା ପୂର୍ବଜମାନଙ୍କ ପ୍ରତି ଶ୍ରଦ୍ଧା ଓ ସ୍ମୃତିର ପ୍ରତୀକ ଦିବସ ଭାବେ ପାଳନ ହୁଏ।ଆଜି ଆଲୋକର ପର୍ବ ଦୀପାବଳିରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ । ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟ ଏମାର ମଠ ଚକଡ଼ାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୪ଟି ସ୍ଥାନରେ ବ୍ୟାରିକେଡ଼୍ ଘେରାଇ ତଳେ ବାଲି ପକାଯିବା ସହ ଶ୍ରଦ୍ଧାଳୁମାନେ ସେଠାରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବାକୁ ପ୍ରସ୍ତୁତି ହେଉଛି । କୌଣସି ଅଘଟଣର ସାମ୍ନା କରିବାକୁ ଅଗ୍ନିଶମବାହିନୀଙ୍କ ସମେତ ଆମ୍ବୁଲାନ୍ସ ରହିବ । କାର୍ତ୍ତିକ ମାସ ଅବସରରେ ଶ୍ରୀମନ୍ଦିରରେ ପ୍ରଚଳିତ ଦର୍ଶନ ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ ।
ଆଲୋକର ପର୍ବ ଦୀପାବଳିରେ ବଡ଼ଦାଣ୍ଡ ସମେତ ତୀର୍ଥ ପୁଷ୍କରିଣୀରେ ଲାଗିବ ପ୍ରବଳ ଭିଡ଼ । ସକାଳୁ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ସମେତ ପବିତ୍ର ମହୋଦଧିରେ ସ୍ନାନକରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପହଞ୍ଚିବେ । ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ । ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ ଆର୍ଶୀବାଦ ଲାଭ କରିବେ । ଠାକୁରଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ବ୍ରାହ୍ମଣ ଭୋଜନ କରାଇ ପୂଣ୍ୟ ଅର୍ଜନ କରିବେ । ଦୀପାବଳି ଅବସରରେ ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳାରେ ସାରା ସହର ଝଲସି ଉଠିବ । ସହରବାସୀ ଘରେ ଘରେ ଦୀପ ଓ ମହମବତୀ ଲଗାଇବା ସହ କାଉଁରିଆ ଜାଳିବେ । ବିଭିନ୍ନ ଅନୁଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହେବ । ବ୍ୟବସାୟିକ ଅନୁଷ୍ଠାନ ବେଶ ଜାକଜମକରେ ପାଳନ କରିବେ । ବିପଦଜନକ ବାଣ ନଫୁଟାଇବାକୁ ଗଣମାଧ୍ୟମ ଜରିଆରେ ଏସ୍ପି ସିଂହ ସଭିଙ୍କୁ ଅନୁରୋଧ କରିଛନ୍ତି ।












Click it and Unblock the Notifications