Condom: ଆପଣ କଣ୍ଡୋମ ବ୍ୟବହାର କରୁଛନ୍ତି କି ? ଜାଣିରଖନ୍ତୁ ଏହି କଥା
ଲାଟେକ୍ସ ନା ପ୍ଲାଷ୍ଟିକ୍? ବଡ଼, ଛୋଟ ନା ମଧ୍ୟମ ଆକାରର ? ଯୋନି ଭିତରେ ନା ବାହାରେ ବ୍ୟବହାର କରିବେ ? ଏମିତି ଅନେକ ବିକଳ୍ପର କଣ୍ଡୋମ ଉପଲବ୍ଧ ହେଉଛି । କିନ୍ତୁ ସଠିକ ଚୟନ ହିଁ ଆପଣଙ୍କ ସମ୍ଭୋଗକୁ ଆନନ୍ଦମୟ କରିଥାଏ । ଏଥିସହିତ ସର୍ବାଧିକ ସୁରକ୍ଷା, ଭଲ ଭାବରେ ଫିଟ୍ ହେବା, ଏହାର ଗନ୍ଧ, ଆରାମ ଅନୁଭୂତି ଓ ଯୌନସୁଖ ପାଇଁ ଯାହା ଠିକ୍, ତାହା ହିଁ ଆପଣଙ୍କ ପାଇଁ ଉପଯୁକ୍ତ କଣ୍ଡୋମ ।

ଯୌନକ୍ରିୟା ସମୟରେ ଉଭୟ ପୁରୁଷ ଓ ମହିଳା ଜୀବନ ସାଥୀ କଣ୍ଡୋମ ବ୍ୟବହାର କରିବା ଏକ ସାଧାରଣ କଥା । ଯୌନ ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣ ରୋକିବାକୁ ଏହା ଏକ ସହଜ, ଶସ୍ତା ଓ ପ୍ରଭାବଶାଳୀ ଉପାୟ ଭାବେ ଜଣାଶୁଣା । ଏହା କ୍ଲାମିଡିଆ, ଗନେରିଆ, ଟ୍ରାଇକୋମୋନିଆସିସ୍ ଏବଂ ଏଚ୍ଆଇଭି ଭଳି ଭୟଙ୍କର ରୋଗକୁ ପ୍ରତିରୋଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବଜାରରେ ବିଭିନ୍ନ ପ୍ରକାରର କଣ୍ଡୋମ ମିଳୁଛି ସତ, କିନ୍ତୁ ଅଧିକାଂଶ ପୁରୁଷ ଓ ମହିଳା ଉପଯୁକ୍ତ କଣ୍ଡୋମ ଚୟନ କରୁ ନଥିବାରୁ ନାନା ଅସୁବିଧା ଭୋଗ କରୁଛନ୍ତି ।
ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କଣ୍ଡୋମ ଉପଲବ୍ଧ ହେଉଥିଲେ ବି ମହିଳାଙ୍କ କଣ୍ଡୋମ ପୁରୁଷଙ୍କ କଣ୍ଡୋମଠାରୁ ଅଧିକ ଦାମୀ । ଏଥିରେ ଏକ ପତଳା ରବର ଟ୍ୟୁବ୍ ସହ ଉଭୟ ମୁଣ୍ଡରେ ନମନୀୟ ରିଙ୍ଗ୍ ରହିଥାଏ । କଣ୍ଡୋମର ଗୋଟିଏ ମୁଣ୍ଡ ଯୋନିରେ ଭର୍ତ୍ତି କରାଯାଏ ଏବଂ ଅନ୍ୟ ମୁଣ୍ଡଟି ଯୌନାଙ୍ଗର ବାହାରେ ରହିଥାଏ | ମହିଳାଙ୍କ ପାଇଁ ଆଭ୍ୟନ୍ତରୀଣ କଣ୍ଡୋମ କେବଳ ଗୋଟିଏ ଆକୃତି, ଆକାର ଏବଂ ପଦାର୍ଥରେ ଉପଲବ୍ଧ | ଏହାକୁ କିଣିବାକୁ କେତେକ ଦେଶରେ ପ୍ରେସକ୍ରିପସନ୍ ମଧ୍ୟ ଆବଶ୍ୟକ ହୋଇଥାଏ । ତେବେ ପୁରୁଷ କଣ୍ଡୋମ ବିନା ପ୍ରେସ୍କ୍ରିପସନରେ ଔଷଧ ଦୋକାନ, ଅନ୍ଲାଇନ୍ ଷ୍ଟୋର ବା ଡାକ୍ତରଖାନାରୁ ମିଳିଥାଏ ।
କଣ୍ଡୋମ ଏକ ଅତି ପତଳା ରବର ବା ଲାଟେକ୍ସରୁ ତିଆରି ହୋଇଥାଏ । କିନ୍ତୁ ଲାଟେକ୍ସ ପ୍ରତି ଯଦି ଆପଣଙ୍କର ଆଲର୍ଜି ନଥାଏ, ତେବେ ଆପଣ ବହୁ ବିକଳ୍ପ ବିଶିଷ୍ଟ କଣ୍ଡୋମର ମଜା ନେଇପାରିବେ । ନଚେତ ପଲିୟୁରେଥେନ୍, ପଲିସୋପ୍ରେନ୍ ଏବଂ ନାଇଟ୍ରାଇଲ୍ ପରି ସାମଗ୍ରୀରୁ ତିଆରି ହୋଇଥିବା ଅଣ-ଲାଟେକ୍ସ କଣ୍ଡୋମ ଆପଣଙ୍କ ପାଇଁ ଠିକ୍ | ତେବେ ତେଲ ଭିତ୍ତିକ ଲୁବ୍ରିକାଣ୍ଟ, ଭେସଲିନ୍ ଏବଂ ଅନେକ ଲୋସନ ଏହି ପ୍ରକାରର କଣ୍ଡୋମକୁ ଦୁର୍ବଳ କରିପାରେ । ଏହାକୁ ଦୃଷ୍ଟିରେ ରଖିବା ଆପଣଙ୍କ ପାଇଁ ଜରୁରୀ ।
ଡଟେଡ ବା ଟେକ୍ସଚର କଣ୍ଡୋମର ବାହାର ପାଖରେ ଛୋଟ ଛୋଟ ଡଟ୍ ଥାଏ ଯାହା ମହିଳା ସାଥୀଙ୍କ ଯୌନାଙ୍ଗରେ ଘର୍ଷଣ ହେବା ଫଳରେ ଉତ୍ତେଜନା ବୃଦ୍ଧି କରିଥାଏ । ଏହା କିଛି ଲୋକଙ୍କ ପାଇଁ ଯୌନ ସମ୍ଭୋଗକୁ ଅଧିକ ଆନନ୍ଦଦାୟକ କରିପାରେ | ଟେକ୍ସଚର କଣ୍ଡୋମ ଯୌନ ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣ ରୋକିବାରେ ଅଣ-ଟେକ୍ସଚର କଣ୍ଡୋମ ଭଳି ସମାନ ସ୍ତରର ସୁରକ୍ଷା ଦେଇଥାଏ ।
ଶୁକ୍ରାଣୁ ନିରୋଧକ ବା ସ୍ପର୍ମିସାଇଡାଲ କଣ୍ଡୋମ ଭିତରେ ଏକ ପ୍ରକାରର ଜେଲ୍ ବ୍ୟବହାର କରାଯାଇଥାଏ ଯାହା ପୁରୁଷର ଶୁକ୍ରାଣୁକୁ କଣ୍ଡୋମ ଭିତରେ ହିଁ ନିଷ୍କ୍ରିୟ କରି ଦେଇଥାଏ । ଏହା ଯୌନ ଉତ୍ତେଜନା ବୃ୍ଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହା ମୂତ୍ରନଳୀ ସଂକ୍ରମଣର ଆଶଙ୍କାକୁ ବଢ଼ାଇପାରେ । ଏଭଳି କଣ୍ଡୋମ ପ୍ୟାକେଟରୁ ନଖୋଲିଲେ ବି ବେଶୀ ଦିନ ରହେନାହିଁ ।
ବିଭିନ୍ନ ସ୍ବାଦ ଏବଂ ସୁଗନ୍ଧିତ ଲୁବ୍ରିକାଣ୍ଟଯୁକ୍ତ କଣ୍ଡୋମ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଏହା ଲାଟେକ୍ସ ବା ରବରର ଗନ୍ଧକୁ ଦୂର କରିବା ସହ ନିଜ ମନପସନ୍ଦର ଫଳ ବା ଫୁଲର ସୁଗନ୍ଧରେ ଉପଲବ୍ଧ ହୋଇଥାଏ । ସ୍ବାଦଯୁକ୍ତ କଣ୍ଡୋମରେ ଚିନି ରହିଥିବାରୁ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ତାହା ଉପଯୁକ୍ତ କି ନୁହେଁ ବିଚାର କରନ୍ତୁ । ସେହିପରି ରାତିରେ ଉଜ୍ବଳ ହୋଇ ଉଠୁଥିବା କଣ୍ଡୋମ ବି ମିଳୁଛି । ଏଥିରେ ଫସ୍ଫରସ ପାଉଡର ଥିବାରୁ ଏହା ଆଲୋକକୁ ଅବଶୋଷଣ କରିଥାଏ ଓ ବେଡ୍ରୁମ୍କୁ ଅନ୍ଧାର କରିବା ପରେ ଉଜ୍ବଳ ଦେଖାଯାଇଥାଏ । ଏହା ଅନ୍ୟ କଣ୍ଡୋମ ଭଳି ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ ।
ସମ୍ଭୋଗ ସମୟରେ ଅତି ନିବିଡ଼ ଅନୁଭୂତି ଚାହୁଁଥିବା ଲୋକେ ପତଳା କିମ୍ବା ଅତି-ପତଳା (ଅଲ୍ଟ୍ରା ଥିନ୍) କଣ୍ଡୋମ ବ୍ୟବହାର କରିପାରିବେ । କିନ୍ତୁ କିଛି ଲୋକ ଏହି କଣ୍ଡୋମରେ ଶୀଘ୍ର ଉତ୍ତେଜିତ ହୋଇଯାଉଥିବାରୁ ଅଧିକ ସଂଭୋଗ କରିପାରୁ ନଥିବା କହିଥାନ୍ତି । ଅତି ପତଳା କଣ୍ଡୋମ ନିୟମିତ କଣ୍ଡୋମ ପରି ସମାନ ସ୍ତରର ସୁରକ୍ଷା ଯୋଗାଇଥାଏ ଏବଂ ପତଳା ହେଲେ ବି ଶକ୍ତିଶାଳୀ ଥିବାରୁ ସହଜରେ ଛିଡ଼ି ନଥାଏ ।
କିଛି କଣ୍ଡୋମରେ ଏକ ସ୍ବତନ୍ତ୍ର ପ୍ରକାରର ଲୁବ୍ରିକାଣ୍ଟ ବା ତେଲିଆ ପଦାର୍ଥ ଥିବାରୁ ପୁରୁଷମାନଙ୍କ ଯୌନାଙ୍ଗରେ ଥଣ୍ଡା ବା ଗରମ ଅନୁଭୂତି ଦେଇଥାଏ । ଖରା ବା ଶୀତ ଦିନେ କିଭଳି ଉତ୍ତାପ ଦରକାର, ତାହା ଦୃଷ୍ଟିରେ ରଖି ଏହାକୁ ଚୟନ କରନ୍ତୁ ।
ପ୍ରକୃତିକ କଣ୍ଡୋମରେ କେବଳ ପ୍ରାକୃତିକ ପତଳା ରବର ବ୍ୟତୀତ ଅନ୍ୟ କୌଣସି ରାସାୟନିକ ପଦାର୍ଥ, ରଙ୍ଗ କିମ୍ବା ସୁଗନ୍ଧ ବ୍ୟବହାର କରାଯାଇ ନଥାଏ । ଏହା କିଛି ଲୋକଙ୍କ କ୍ଷେତ୍ରରେ ଉତ୍ତେଜନାକୁ ହ୍ରାସ କରୁଥିବା ଜଣାପଡ଼େ । କିନ୍ତୁ ଏଗୁଡ଼ିକ ଆଲର୍ଜି ସୃଷ୍ଟି କରୁ ନଥିବାରୁ ସମ୍ବେଦନଶୀଳ ଚର୍ମ ଥିବା ଲୋକଙ୍କ ପାଇଁ ଏକ ଭଲ ବିକଳ୍ପ ।
ଯୌନକ୍ରିୟା ଆରମ୍ଭର ଅଳ୍ପ ସମୟ ମଧ୍ୟରେ ସ୍ଖଳନ ହୋଇଗଲେ ମହିଳା ସାଥୀଙ୍କୁ ସମ୍ଭୋଗର ପରିତୃପ୍ତି ମିଳି ନଥାଏ । ସେ କ୍ଷେତ୍ରରେ ପୁରୁଷଙ୍କୁ ଅଧିକ ସମୟ ତିଷ୍ଠିବା ପାଇଁ ବିଳମ୍ବିତ କ୍ଲାଇମ୍ୟାକ୍ସ କିସମର କଣ୍ଡୋମ ବ୍ୟବହାର କଥା ଚିନ୍ତା କରାଯାଇପାରେ । ଏହି କଣ୍ଡୋମର ଭିତର ପାଖରେ ଲିଡୋକେନ୍ ବା ବେନୋଜୋକେନ୍ ଭଳି ପଦାର୍ଥ ବ୍ୟବହାର କରାଯାଇଥାଏ, ଯାହା ଯୌନାଙ୍ଗରେ ଉତ୍ତେଜନା ଶକ୍ତିକୁ କିଛି ସମୟ ପାଇଁ ଅନୁଭବ କରିବାକୁ ଦେଇ ନଥାଏ । ଫଳରେ ବ୍ୟବହାରକାରୀ ଅଧିକ ସମୟ ସମ୍ଭୋଗ କରିପାରନ୍ତି । ଏହା ଦ୍ବାରା ଉଭୟ ପୁରୁଷ ଓ ମହିଳାଙ୍କୁ ଯୌନ ପରିତୃପ୍ତି ମିଳିଥାଏ ।












Click it and Unblock the Notifications