ମୁଣ୍ଡବିନ୍ଧା ପାଇଁ ଚିନ୍ତିତ ଅଛନ୍ତି କି ? ଏହି ହର୍ବାଲ ଚା' ପିଇଲେ ମିଳିବ ଆରାମ
ଚା' ଯଦି ଆପଣଙ୍କ ଶରୀର ପାଇଁ ହିତକର ହୁଏ ତେବେ ଏହାକୁ ଆପଣ ନିସନ୍ଦେହରେ ନିଜ ଖାଦ୍ୟପ୍ରଣାଳୀରେ ଗ୍ରହଣ କରିପାରିବେ । ତେବେ ଏଠାରେ ସାଧାରଣ ଚା' କଥା କୁହାଯାଉନାହିଁ, ଆମେ କହୁଛୁ ହର୍ବାଲ ଚା' ବିଷୟରେ । ଏହି କ୍ୟାଫିନ୍ ମୁକ୍ତ ପାନୀୟର ଢେର ଉପାଦେୟତା ରହିଛି । ଏହାର ଶରୀର ପ୍ରତି ଥିବା ଉପକାରିତା ସମ୍ପର୍କରେ ଉଭୟ ଆୟୁର୍ବେଦ ଓ ଆଧୁନିକ ବିଜ୍ଞାନରେ ପ୍ରମାଣ ରହିଛି ।

ତେବେ ବିଭିନ୍ନ ପ୍ରକାରର ହର୍ବାଲ ଚା' ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ହର୍ବାଲ ଚା' ଶରୀରର କେଉଁ ସମସ୍ୟାର ସମାଧାନରେ ସାହାଯ୍ୟ କରିଥାଏ ।
ଅନିଦ୍ରା ଓ ଚିନ୍ତା ଜନିତ ସମସ୍ୟା ପାଇଁ:
ଅନିଦ୍ରା ଓ ଚିନ୍ତା ଜନିତ ସମସ୍ୟାର ରାମବାଣ ଭାବେ କାର୍ଯ୍ୟ କରିଥାଏ କାମୋମାଇଲ ଚା' । କାମୋମାଇଲ ଫୁଲରୁ ପ୍ରସ୍ତୁତ ଏହି ଚା'କୁ ରାତ୍ରି ସମୟରେ ଗ୍ରହଣ କରାଯାଇଥାଏ । ଅନୁସନ୍ଧାନରୁ ପ୍ରକାଶ କାମୋମାଇଲ ଚା' ଶୟନର ଗୁଣବତ୍ତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ସହ ଶିଶୁ ଜନ୍ମ ନେବାର ପରବର୍ତ୍ତୀ ସମୟରେ ମହିଳାଙ୍କୁ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଫାଇଟୋମେଡିସିନ୍ ବିଭାଗର ଏକ ଅନୁସନ୍ଧାନରୁ ପ୍ରକାଶ କାମୋମାଇଲ ଚା'ରେ ଚିନ୍ତାରୁ ରକ୍ଷାକରିବାର ଗୁଣ ରହିଛି ।
ପାଚନ ପ୍ରକ୍ରିୟା ଓ ମୁଣ୍ଡବିନ୍ଧାରୁ ରକ୍ଷା ନିମନ୍ତେ:
ସତେଜତା ଭରା ଓ ପେଟକୁ ଥଣ୍ଡା ରଖୁଥିବା ପେପରମିଣ୍ଟ ଚା' ଆପଣଙ୍କ ପେଟଜନିତ ସମସ୍ତ ସମସ୍ୟାର ସହଜରେ ସମାଧାନ କରିଥାଏ । ଅନ୍ତ୍ର ଜନିତ ସମସ୍ୟାରୁ ମୁକ୍ତି ପାଇଁ ପେପରମିଣ୍ଟ ତେଲର ବ୍ୟବହାର କରାଯାଇଥାଏ । ତେବେ ପେପରମିଣ୍ଟରୁ ପ୍ରସ୍ତୁତ ଚା' ପାଚନ ପ୍ରକ୍ରିୟାରେ ସହାୟତା କରିବା ସହିତ ଏହାର ସତେଜତାପୂର୍ଣ୍ଣ ଅନୁଭବ ମୁଣ୍ଡବିନ୍ଧାରୁ ମଧ୍ୟ ଆରାମ ଦେଇଥାଏ ।
ପେଟ ଗରମରୁ ରକ୍ଷା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ:
ଆୟୁର୍ବେଦ ଓ ପାରମ୍ପାରିକ ଔଷଧରେ ଅଦାର ବ୍ୟବହାର ବହୁତ ବେଶି । ଅଦା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏବଂ ଲେମ୍ବୁରେ ଭିଟାମିନ ସିର ମାତ୍ରା ଅଧିକ ରହିଥାଏ । ଯାହାକି ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ । ଅଦା ଓ ଲେମ୍ବୁର ମିଶ୍ରଣରେ ଆପଣ ଚା' ପ୍ରସ୍ତୁତ କରିଲେ, ଶରୀର ପାଇଁ ଏକ ଶକ୍ତିଶାଳୀ ଡେଟକ୍ସ ଡ୍ରିଙ୍କ ବନାଇପାରିବେ, ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ ।
ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ପାଇଁ:
ଆଜିକାଲି ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ମନ୍ଦାରଫୁଲରୁ ପ୍ରସ୍ତୁତ ଚା' ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ପାଇଁ ଏକ ଔଷଧୀ ସଦୃଶ । ଜର୍ଣ୍ଣାଲ ଅଫ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିର ଅନୁସନ୍ଧାନର ପ୍ରକାଶ ପ୍ରତିଦିନ ମନ୍ଦାର ଫୁଲରୁ ପ୍ରସ୍ତୁତ ଚା' ପିଇଲେ ଏହା ସାବାଳକଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟାର ସମାଧାନ କରିଥାଏ । ଏଥିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟସ ରହିଥାଏ ।












Click it and Unblock the Notifications