ସାବଧାନ ! ମନଇଚ୍ଛା ନିଅନ୍ତୁନି ଆଣ୍ଟିବାୟୋଟିକ୍, ନହେଲେ...
ଥରେ ଭାବନ୍ତୁ ତ ଆପଣଙ୍କୁ ରୋଗ ହୋଇଛି, ଔଷଧ ଖାଇବା ପରେ ମଧ୍ୟ ରୋଗ ଉପରେ ଏହାର ପ୍ରଭାବ ପଡୁନାହିଁ । ଆଜିର ଦୁନିଆରେ ଏହା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏବେକାର ବ୍ୟସ୍ତ ବହୁଳ ଜୀବନରେ ବହୁ ସ୍ୱାସ୍ଥ୍ୟଜନିତ ସମସ୍ୟା ତୀବ୍ର ଭାବେ ବଢିବାରେ ଲାଗିଛି, ଯାହାକୁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ କୁହାଯାଉଛି । ସହଜରେ କହିବାକୁ ଗଲେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଉଛି ଯେତେବେଳେ ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକ୍ ଔଷଧର ପ୍ରଭାବ କମ୍ ହୋଇଥାଏ କିମ୍ବା ପ୍ରଭାବହୀନ ହେଉଥାଏ । ଏହି ସ୍ଥିତି ଖୁବ୍ କ୍ଷତିକାରକ । କାରଣ ଏହି ସମୟରେ ସାମାନ୍ୟ ରୋଗର ମଧ୍ୟ ଚିକିତ୍ସା କରିବା କଷ୍ଟକର ହୋଇପଡେ । ଅବଶ୍ୟ ଚିନ୍ତା କରନ୍ତୁନି । ଇଣ୍ଟନାଲ୍ ମେଡିସିନ୍ର ସିନିୟର୍ ଡାକ୍ତର ଶ୍ରୋୟା ଶ୍ରୀବାସ୍ତବଙ୍କ ମତରେ ନିୟମିତ ଜୀବନରେ କେତେକ ଅଭ୍ୟାସରେ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟାକୁ କମ୍ କରାଯାଇପାରିବ । ଏମିତି କେତୋଟି ଅଭ୍ୟାସ ରହିଛି, ଯାହାକୁ ବିଶେଷ ଧ୍ୟାନ ଦେବା ଜରୁରି । ଯେପରିକି-

ଡାକ୍ତର ପରାମର୍ଶ ବିନା ଔଷଧ ନିଅନ୍ତୁନି: ପ୍ରଥମତଃ କୌଣସି ରୋଗ ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ନେବା ଉଚିତ୍ । ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଆଦୌ ନିଅନ୍ତୁନି । ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଡାକ୍ତର ରୋଗ ବିଷୟରେ ଜାଣିବା ପରେ ହିଁ ଔଷଧ ଦେଇଥାନ୍ତି ।
ଭାଇରାଲ ହୋଇଥିବା ବେଳେ ଆଣ୍ଟିବାୟୋଟିକ୍ ନିଅନ୍ତୁନି: ପ୍ରାୟ ଲୋକ ଥଣ୍ଡା-କାଶ ବା ଫ୍ଲୁ ହେଲେ ଆଣ୍ଟିବାୟୋଟିକ୍ ନେଇଥାନ୍ତି । ଏହା ଭୁଲ୍ । ଡାକ୍ତରଙ୍କ ମତରେ ଏହି ସଂକ୍ରମଣ ଭୂତାଣୁ ଯୋଗୁ ହୋଇଥାଏ । କିନ୍ତୁ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁଙ୍କ ଉପରେ କାମ କରିଥାଏ । ଭୂତାଣୁ ଉପରେ ଏହା ଆଦୌ କାମ କରି ନଥାଏ । ତେଣୁ ଏହି ଔଷଧ ନେବା ଅନୁଚିତ୍ ।
ଔଷଧର ଉପଯୁକ୍ତ ମାତ୍ରା ଓ ସମୟକୁ ଗୁରୁତ୍ୱ: ଯଦି ଡାକ୍ତର କୌଣସି ଔଷଧ ଦେଇଥାନ୍ତି, ତେବେ ଏହାକୁ ଉପଯୁକ୍ତ ମାତ୍ରାରେ ଓ ନିୟମିତ ସମୟରେ ନେବା ଜରୁରି । କିଛି ଲୋକ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଔଷଧ ଖାଇବା ଛାଡି ଦେଇଥାନ୍ତି କିମ୍ବା କେବେ କେବେ ଅଧିକ ମାତ୍ରା ନେଇଯାଇଥାନ୍ତି । ଉଭୟ ସ୍ଥିତି କ୍ଷତିକାରକ । ଔଷଧର କୋର୍ସ ପୁରା କରିବା ବହୁତ ଜରୁରି ।
ପୁରୁଣା କିମ୍ବା ଅନ୍ୟର ଔଷଧ ବ୍ୟବହାର କରିବା ଅନୁଚିତ୍: କେବେ କେବେ ଘରେ ପୂର୍ବରୁ ରହିଯାଇଥିବା ଆଣ୍ଟିବାୟୋଟିକ୍ କିମ୍ବା ଅନ୍ୟ କାହାର ଔଷଧକୁ ଖାଇବା ଅନୁଚିତ୍ । କାରଣ ପ୍ରତ୍ୟେକ ରୋଗ ଓ ବ୍ୟକ୍ତିର ଶରୀର ଅଲଗା ହୋଇଥାଏ । ତେଣୁ ଔଷଧ ମଧ୍ୟ ଅଲଗା ହୋଇଥାଏ । ଭୁଲ୍ ଔଷଧ ଶରୀରକୁ ଖୁବ୍ କ୍ଷତି ପହଞ୍ଚାଇପାରେ ।
ସ୍ୱଚ୍ଛତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: କୁହାଯାଏ ଚିକିତ୍ସାଠାରୁ ଶ୍ରେଷ୍ଠ ସ୍ୱଚ୍ଛତା । ଯଦି ଆପଣ ନିୟମିତ ଜୀବନରେ ସ୍ୱଚ୍ଛତାକୁ ଅନୁକରଣ କରିବା ସହ ପରିଷ୍କାର ପରିଛନ୍ନ ରହିବେ ଓ ଉପଯୁକ୍ତ ଟୀକାକରଣକୁ ଗୁରୁତ୍ୱ ଦିଅନ୍ତି, ତେବେ ରୋଗ ହେବାର ସମ୍ଭାବନା ଆପେ ଆପେ ଦୂରେଇଯିବ । ରୋଗରେ ନ ପଡିଲେ ଆଣ୍ଟିବାୟୋଟିକ୍ର ଆବଶ୍ୟକତା ରହିବ ନାହିଁ । ତେଣୁ ଶରୀର ଅସୁସ୍ଥ ହେବାର ଆଶଙ୍କା ହିଁ ରହିବନାହିଁ ।












Click it and Unblock the Notifications