ଆଜି ପାଳିତ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ
ପ୍ରକୃତିରେ ସନ୍ତୁଳନ ରକ୍ଷା ନିମନ୍ତେ ବନ୍ୟଜନ୍ତୁ ଓ ଉଦ୍ଭିଦ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ସେମାନଙ୍କ ସୁରକ୍ଷା ନିମନ୍ତେ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି । ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ଦୃଢ଼ ନୀତି ଏବଂ ଅନେକ ଗୁଡ଼ିଏ ଆଇନଗତ ଢ଼ାଞ୍ଚା ସ୍ଥାପନ କରିଛନ୍ତି ।
ଭାରତ ଏହାର ସମୃଦ୍ଧ ଏବଂ ବିବିଧ ବନ୍ୟଜନ୍ତୁ ପ୍ରାକୃତିକ ସ୍ଥଳୀ ପାଇଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଦେଶରେ ୧ ହଜାରରୁ ଅଧିକ ସୁରକ୍ଷିତ ପ୍ରାକୃତିକ ବାସସ୍ଥାନ ମଧ୍ୟରେ ୧୦୬ଟି ଜାତୀୟ ଉଦ୍ୟାନ, ୫୭୩ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ୧୧୫ଟି ସଂରକ୍ଷଣ ସ୍ଥଳୀ ରହିଛି । ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ, ୨୦୨୫-୨୬ ବଜେଟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଁ ୩ ହଜାର ୪୧୨ କୋଟି ଟଙ୍କାର ଅର୍ଥ ଆବଣ୍ଟନ କରିଛନ୍ତି ।

ଗତ ଆର୍ଥିକବର୍ଷ ତୁଳନାରେ ଏହା ୯ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଏହାଛଡ଼ା ବନ୍ୟଜନ୍ତୁ ଆବାସସ୍ତଳୀର ବିକାଶ ନିମନ୍ତେ ୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗତବର୍ଷ ପ୍ରୋଜେକ୍ଟ ଡଲ୍ଫିନ୍ ଅଧୀନରେ ଆସାମରେ ଡଲଫିନ୍ ଦେହରେ ସଫଳତାର ସହ ସାଟେଲାଇଟ୍ ଟ୍ୟାଗିଙ୍ଗ୍ କରାଯାଇ ପାରିଛି ।
ଦେଶରେ ୫୪ଟି ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ରହିଥିବା ବେଳେ, ବିଶ୍ୱର ୭୦ ପ୍ରତିଶତ ବ୍ୟାଘ୍ର ଭାରତରେ ଅଛନ୍ତି । ଏହା ବ୍ୟତୀତ ବିଲୁପ୍ତପ୍ରାୟ ଚିତ୍ତାବାଘ ବଂଶ ବୃଦ୍ଧି ଲାଗି ପ୍ରୋଜେକ୍ଟ ଚିତା ଆରମ୍ଭ କରାଯାଇଥିବା ବେଳେ ଦେଶରେ ଗତ କିଛିବର୍ଷ ହେବ ଜଙ୍ଗଲୀ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ୍ ପେଡ୍ ମା'କେ ନାମ୍ ଅଭିଯାନ ଅଧୀନରେ ଗତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ୧୦୨ କୋଟିରୁ ଅଧିକ ବୃକ୍ଷରୋପଣ କରାଯାଇଚି ।












Click it and Unblock the Notifications