ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ:ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ପକ୍ଷରୁ ଲଢିବ.....
ସାଉଦି ଆରବ ସହ ଏକ ଐତିହାସିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବାର ୪ ଦିନ ପରେ ଆଜି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଯୋଗଦେବା ପାଇଁ ଅନ୍ୟ ଦେଶ ପାଇଁ ଦ୍ୱାର ବନ୍ଦ ହୋଇନାହିଁ। ଭାରତ ବିରୋଧରେ ଏକ ଶକ୍ତିଶାଳୀ ଇସ୍ଲାମିକ ସାମରିକ ମେଣ୍ଟ ପାଇଁ ଆସିଫ୍ ଗୁରୁତ୍ବାରୋପ କରିବା ସହ ସାମରିକ ମେଣ୍ଟର ବିସ୍ତାର ପାଇଁ ଆହ୍ବାନ ଦେବା ଭାରତକୁ ପ୍ରତ୍ୟକ୍ଷ ଧମକ ବୋଲି ମଧ୍ୟ ବିବେଚନା କରାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତ ଦୃଷ୍ଟିକୋଣରୁ ଏହି ରାଜିନାମା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ନାଟୋର ଆର୍ଟିକିଲ ୫ରେ ମଧ୍ୟ ଏହି ଧରଣର ରାଜିନାମା କରାଯାଏ । ଯେ କୌଣସି ଗୋଟିଏ ଦେଶ ଉପରେ ହମଲା ହେଲେ ପୂରା ନାଟୋ ଗ୍ରୁପ ଉପରେ ହମଲା ହୋଇଛି ବୋଲି ବିବେଚନା କରାଯାଏ । କୁହାଯାଉଛି ପାକିସ୍ତାନ ସାଉଦି ଆରବ ସହ ଏହି ଚୁକ୍ତିନାମା କରି ଭାରତ ବିରୋଧରେ ବଡ ଚାଲ ଖେଳିଛି । ହେଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହା ଉପରେ ବୁଲେଇ ବଙ୍କେଇ ଜବାବ ଦେଇଛନ୍ତି ।

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ପାରସ୍ପରିକ ସହଯୋଗର ରାଜିନାମା । ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଯଦି ଭାରତ ପାକିସ୍ତାନ ଉପରେ ହମଲା କରେ ତେବେ କଣ ସାଉଦି ଆରବ ପାକିସ୍ତାନ ପକ୍ଷରୁ ସାମିଲ ହେବ ? ଏହା ଉପରେ ଖ୍ୱାଜା ଆସିଫ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ସେ ଏହି ସମୟରେ କୌଣସି ଦେଶର ନାଁ ନେଇ ନ ଥିଲେ ।
ଖ୍ୱାଜା ଆସିଫ କହିଛନ୍ତି, ଆକ୍ରମଣ କାହା ଉପରେ ହେଉ କିମ୍ବା କୌଣସି ପକ୍ଷରୁ ହେଉ ଜବାବ ମିଶି କି ଦିଆଯିବ । ଏହା କୌଣସି ପ୍ରକାରର ଆକ୍ରମଣ ପାଇଁ ରାଜିନାମା ନୁହେଁ ବରଂ ରକ୍ଷା ପାଇଁ କରାଯାଇଛି । ଏହି ରାଜିନାମାର ବ୍ୟବହାର କୌଣସି ଦେଶ ବିରୋଧରେ ଆକ୍ରାମକ ଭାବେ କରାଯିବ ନାହିଁ । ଯଦି କୌଣସି ଦେଶ ପାଇଁ ବଡ ଚ୍ୟାଲେଞ୍ଜ ଆସେ ତେବେ ମିଶି କି ଏହାର ମୁକାବିଲା କରାଯିବ । ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରକୁ ସାଉଦି ଆରବ ବ୍ୟବହାର କରି ପାରିବ । ସାଉଦି ଆରବର ଜଣେ ଅଧିକାରୀଙ୍କୁ ଯେବେ ଏହି ବିଷୟରେ ପ୍ରଶ୍ନ କରାଗଲା ସେ କହିଛନ୍ତି ଯେ,ଏହା ଏକ ପ୍ରକାରର ମିଳିତ ରାଜିନାମା । ଏହାର ଅର୍ଥ କେବଳ ଯୁଦ୍ଧ ନୁହେଁ ବରଂ ଅନ୍ୟ ପ୍ରକାରର ପାରସ୍ପରିକ ସହଯୋଗ ବି ରହିଛି । ଏଥିରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ସାମିଲ ।












Click it and Unblock the Notifications