କଣ ପାଇଁ ଇସ୍ରାଏଲ-ଇରାନ ବିବାଦ, ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ବିବାଦର ପୂରା କାହାଣି
ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ୱଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଛି । ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର ମିତ୍ର ରାଷ୍ଟ୍ର ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଚାପ ସୃଷ୍ଟି କରୁଛନ୍ତି ।
ଏହି ଦୁହେଁଙ୍କ ଯୁଦ୍ଧ ମଧ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଛାୟା ଯୁଦ୍ଧ ଚାଲିଛି । ଗାଜା ସମେତ ଲେବାନନ, ସିରିୟାରେ ଥିବା ଇସ୍ରାଏଲ ବିରୋଧୀ ଗୋଷ୍ଠୀକୁ ସହାୟତା ଦେଇ ଇରାନ ଇସ୍ରାଏଲ ଉପରେ ପରୋକ୍ଷ ଆକ୍ରମଣ ଜାରି ରଖିଛି । ହେଲେ ଏପ୍ରିଲ ୧ ତାରିଖରେ ସିରିୟା ରାଜଧାନୀ ଡାମାସ୍କସ୍ସ୍ଥିତ ଇରାନର ବାଣିଜ୍ୟିକ ଦୂତାବାସ ଦୂତ ନିକଟରେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଇରାନର ୭ ଶୀର୍ଷ ଅଧିକାରୀଙ୍କ ମୃତ୍ୟୁ ହେବା ପରେ ଇରାନ ରକ୍ତମୁଖା ହୋଇଛି ।

ଇସ୍ରାଏଲକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହି ଇରାନ ଆକ୍ରମଣ ପାଇଁ ଆଗକୁ ବଢୁଛି । କିଛି ଦଶନ୍ଧି ହେଲା ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ରହିଛି । ଇରାନ ବିଶ୍ୱର ମାନଚିତ୍ରରୁ ଇସ୍ରାଏଲକୁ ନିଶ୍ଚିହ୍ନ କରିବାକୁ ଚାହୁଁଛି । କିନ୍ତୁ ଆରମ୍ଭରୁ ଇରାନ-ଇସ୍ରାଏଲ ଏଭଳି ଶତ୍ରୁ ନ ଥିଲେ । ୧୯୭୯ରେ ଇରାନରେ ଇସ୍ଲାମିକ୍ ରିଭୋଲ୍ୟୁସନ ପର୍ଯ୍ୟନ୍ତ ଇରାନ-ଇସ୍ରାଏଲ ବନ୍ଧୁ ରାଷ୍ଟ୍ର ଥିଲେ । ଏପରିକି ଇରାନ ପ୍ରଥମ ଦେଶ ଥୁଲା ଯିଏ କି ୧୯୪୮ରେ ଗଠିତ ଇସ୍ରାଏଲକୁ ରାଷ୍ଟ୍ର ମାନ୍ୟତା ଦେଇଥିଲା ।
ଆରବ ଦେଶ ବିରୋଧରେ ଇସ୍ରାଏଲ ଇରାନକୁ ନିଜର ସହଯୋଗୀ ବୋଲି ବିବେଚନା କରୁଥିଲା । ସେତବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ବାଣିଜ୍ୟ କାରବାରଠାରୁ ଆରମ୍ଭ କରି କୃଷି ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ-ଆମଦାନୀ ମଧ୍ୟ ହେଉଥିଲା । ଏପରିକି ଇସ୍ରାଏଲ ଇରାନକୁ ଅନେକ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ସହ ଇରାନ ସଶସ୍ତ୍ରବଳକୁ ତାଲିମ ବି ଦେଉଥିଲା । ଇସ୍ରାଏଲ ପରେ ଇରାନରେ ବିଶ୍ୱର ସର୍ବାଧିକ ଇହୁଦୀ ବାସ କରୁଥିଲେ । କିନ୍ତୁ ଇରାନରେ ଇସ୍ଲାମିକ କ୍ରାନ୍ତି ହେବା ପରେ ଇହୁଦୀମାନେ ଇରାନ ଛାଡ଼ିଥିଲେ ।
ପରେ ଆୟାତୋଲ୍ଲା ରୁ ହୋଲ୍ୱା ଖୋମେଇନି ଏବଂ ତାଙ୍କ ସହଯୋଗୀ କ୍ଷମତାକୁ ଆସି ଇସ୍ରାଏଲ ସହ ହୋଇଥିବା ଇରାନର ସମସ୍ତ ଚୁକ୍ତିକୁ ବାତିଲ କରିଥିଲେ । ପାଲେଷ୍ଟାଇନର ଅନେକ ଅଞ୍ଚଳକୁ ବେଆଇନ ଭାବେ ଇସ୍ରାଏଲ କବ୍ଜା କରିଥିବା କହି ଇରାନ ଶାସକ ଏହି ଦେଶକୁ ସମର୍ଥନ କରିବା ବନ୍ଦ କରିଥିଲେ । ୧୯୮୨ରେ ଲେବାନାନରେ ଗୃହଯୁଦ୍ଧ ବେଳେ ଇସ୍ରାଏଲ ଏହାର ସୈନ୍ୟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଠାଇଥିଲା ।
ସେତେବେଳେ ଇରାନ ମଧ୍ୟ ଏହାର ସୈନ୍ୟ ପଠାଇ ଇସ୍ରାଏଲ ବିରୋଧରେ ସ୍ଥାନୀୟ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ସହାୟତା କରିଥିଲା । ଏହି ଗୋଷ୍ଠୀ ପରେ ହିଜବୁଲ୍କା ଆତଙ୍କୀ ଗୋଷ୍ଠୀରେ ପରିଣତ ହୋଇଥିଲା । ଇରାନ ଏହି ଆତଙ୍କୀ ସଙ୍ଗଠନକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଏବେ ବ୍ୟବହାର କରୁଛି । ଆଉ ଏହିସବୁ ଭିତରେ ଏବେ କୁହାଯାଉଛି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି ।












Click it and Unblock the Notifications