ପ୍ଲେନ୍ କ୍ରାସ ପରେ ରାଡାର ସହ ବିମାନ ସମ୍ପର୍କ ଚ୍ଛିନ୍ନ,ନିଖୋଜ ସିରିୟା ରାଷ୍ଟ୍ରପତି!
ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ହୋଇଯାଇଛନ୍ତି। ରବିବାର ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍ ସଂଗଠନ ରାଜଧାନୀ ଦାମାସ୍କସକୁ କବଜା କରିବା ପରେ ଅସଦ ଦେଶ ଛାଡ଼ି ଚାଲିଯାଇଥିଲେ। ଏକ ବିମାନ ଯୋଗେ ସେ ତାଙ୍କ ସ୍ତ୍ରୀ ଆସମା ଏବଂ ୨ ପିଲାଙ୍କ ସହିତ ଦେଶ ଛାଡ଼ି ପଳାୟନ କରିଥିଲେ।
ହେଲେ ତାଙ୍କ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଛି। ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଫଳରେ ଅସଦ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗିରହିଛି। ବିଦ୍ରୋହୀମାନେ ଅସଦଙ୍କ ବିମାନକୁ ଆକ୍ରମଣ କରି ଖସାଇ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପଛରେ ରହିଛନ୍ତି ଅବୁ ମହମ୍ମଦ ଅଲ ଜୁଲାନି।

ବର୍ତ୍ତମାନ ସେ ସିରିଆର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହାୟତ ତାହରିର ଅଲ ଶାହମ(ଏଚଟିଏସ)ର ମୁଖ୍ୟ। ଏହି ଇସଲାମିକ ଗ୍ରୁପ ଏକଦା କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦା ସହ ମିଶି କାମ କରୁଥିଲା। ୨୦୧୮ରେ ଆମେରିକା ପକ୍ଷରୁ ଏଚଟିଏସକୁ ଗୋଟିଏ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା।
ଏହାର ମୁଖ୍ୟ ଜୁଲାନିଙ୍କ ଉପରେ ମଧ୍ୟ ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା। ତଥାପି ଦୀର୍ଘ ବର୍ଷ ହେଲାଣି ଜୁଲାନି ନିଜର ଛବି ସଜାଡ଼ିବା ପାଇଁ ଅନେକ ଲୋକାଭିମୁଖ୍ୟ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କହି ଚାଲିଛନ୍ତି। ସେ ନିରୀହ ଲୋକଙ୍କ ନିର୍ଯାତନା ବିରୋଧରେ ଅଭିଯାନ ଚଳାଇଥିବା ସବୁବେଳେ କହି ଆସୁଛନ୍ତି।
ଏବେ ଗୁପ୍ତ ସ୍ଥାନରେ ରହି ପୂରା ଅପରେସନକୁ ନିୟନ୍ତ୍ରଣ କରୁଥିବା ଜୁଲାନି କହିଛନ୍ତି ଯେ ସିରିଆରେ ଆରମ୍ଭ ହୋଇଥିବା ବିଦ୍ରୋହର ଏକମାତ୍ର ଲକ୍ଷ୍ୟ ହେଲା ରାଷ୍ଟ୍ରପତି ଅସଦଙ୍କ ଶାସନକୁ ଉପାଡ଼ି ଫିଙ୍ଗିବା। ଦେଶରେ ଏମିତି ଏକ ସରକାର ଗଠନ ହେବ, ଯାହାକୁ ଲୋକମାନେ ଚୟନ କରିବ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିଷଦ ତିଆରି ହେବ। ବର୍ତ୍ତମାନ ଅସଦ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଏକଛତ୍ର ଶାସନର ମୂଳପୋଛ ହୋଇଛି ବୋଲି ସେ କହିଛନ୍ତି।












Click it and Unblock the Notifications