ବାଂଲାଦେଶରେ ଶେଷ ହେଲା ମତଦାନ
ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନ ପାଇଁ ମତଗ୍ରହଣ ଶେଷ ହୋଇଛି । ୨୯୯ଟି ଆସନ ପାଇଁ ଭୋଟ୍ଗ୍ରହଣ ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ମୋଟାମୋଟି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଛି । ବାଂଲାଦେଶ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ସଚିବ ଅଖ୍ତର ଅହମ୍ମଦ ଦେଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ୪୨ ହଜାର ୬୫୧ଟି ମତଦାନ କେନ୍ଦ୍ରରେ ଭୋଟ୍ଗ୍ରହଣ ହୋଇଛି ।

ମଧ୍ୟାହ୍ନ ୧୨ଟା ସୁଦ୍ଧା ମତଦାନ ହାର ୩୨ ଦଶମିକ ୮/୮ ପ୍ରତିଶତ ରହିଥିଲା । ଦୁଇଟି ଜିଲ୍ଲାରେ ଗ୍ରେନେଡ୍ ବିସ୍ଫୋରଣ ସମେତ ଅନ୍ୟ କେତେକ ଘଟଣା ସତ୍ତ୍ୱେ କୌଣସି ମତଦାନ କେନ୍ଦ୍ରରେ ଭୋଟ୍ଗ୍ରହଣ ବାଧାପ୍ରାପ୍ତ ହୋଇ ନାହିଁ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି । ତେବେ ସ୍ୱାସ୍ଥ୍ୟଗତ କାରଣରୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମତଦାନ ଶେଷ ହେବାପରେ ଭୋଟ୍ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ସେ ସୂଚନା ଦେଇଛନ୍ତି ।












Click it and Unblock the Notifications