ନେପାଳରେ ହିଂସା: ବାଲୁକା କଳାରେ ଶାନ୍ତି ପାଇଁ ପ୍ରାର୍ଥନା କଲେ ସୁଦର୍ଶନ
ନେପାଳରେ ଫେରୁଛି ଶାନ୍ତି, ସୁଧୁରିବ ସ୍ଥିତି । ଯେଉଁ ହିଂସାର ନିଆଁ ହୁତୁହୁତୁ ହୋଇଛି ଜଳୁଥିଲା ତାହା ଲିଭି ଲିଭି ଆସୁଛି । ତେବେ ଏହି ସମୟରେ ନେପାଳକୁ ନିଜ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏବଂ ନେପାଳରେ ପୁନଃ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ୍ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ନିଜ ବାଲୁକା କଳା ମାଧ୍ଯମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।
ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ ଏହି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆଉ କହିଛନ୍ତି- ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ଯମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି ଥରେ ସେହି ସମୟ ଫେରିଆସୁ ।

ତେବେ ନେପାଳରେ ଧିରେଧିରେ ସ୍ବାଭାବିକ ହେଉଛି ସବୁକିଛି । ସୁଧୁରୁଛି ସ୍ଥିତି, ଫେରୁଛି ଶାନ୍ତି । ନେପାଳରେ ଆଜି ନୂଆ ସକାଳ ସହ ନୂଆ ଆଶା ନେଇ ଉଇଁଛି ସୂରୁଜ । ରାତିରେ ନାଇଟ କର୍ଫ୍ୟୁ ଥି୍ବା ବେଳେ ସକାଳେ ସକାଳେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯଦିଓ ପୂର୍ବ ପରି ପୂରା ଦୋକାନ ବଜାର ଖୋଲିନି ମାତ୍ର କାଁ ଭାଁ ଖୋଲିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଗଡିଛି । ସଫେଇ କର୍ମଚାରୀ ରାସ୍ତା ସଫେଇ କରିଛନ୍ତି ।
ସେପଟେ ଦୁଇ ଦିନ ତଳେ ଯେଉଁଠି ଜେନ ଜେଡର ଯୁବପିଢିମାନେ ହୋହଲ୍ଲା, ହଙ୍ଗାମା, ଜଳାପୋଡା, ଭଙ୍ଗାରୁଜା କରିଥିଲେ ଗତକାଲି ସେଠି ସେମାନେ ପୁଣି ଥରେ ଏକଜୁଟ ହୋଇ ସଫେଇ କାମରେ ଲାଗି ପଡିଛନ୍ତି । ଶତାଧିକ ଯୁବପିଢି ଏକାଠି ହୋଇ ଭଙ୍ଗା କାଚ, ଇଟା ପଥର, ଜଳାପୋଡା ଗାଡି ସବୁ ସଫା କରୁଛନ୍ତି । ରାସ୍ତାକୁ ସ୍ବଚ୍ଛ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ସୂଚାଉଛି କି ନେପାଳରେ ଏବେ ସ୍ଥିତି ସୁଧୁରୁଛି ।












Click it and Unblock the Notifications