ଜାତିସଂଘକୁ କଡ଼ା ସମାଲୋଚନା କଲେ ଅମେରିକା ରାଷ୍ଟ୍ରପତି
ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ୭ ମାସରେ ୭ଟି 'ଅନ୍ତହୀନ' ଯୁଦ୍ଧ ସମାପନ କରିବାର ଦାବି କରିଛନ୍ତି। "ସେମାନେ କହୁଥିଲେ ଏହା ଅସମ୍ଭବ, କିଛି ୩୧ ବର୍ଷ, ଗୋଟିଏ ୩୬ ବର୍ଷର ଯୁଦ୍ଧ। ମୁଁ ୭ଟି ଯୁଦ୍ଧ ସମାପନ କରିଛି," ଟ୍ରମ୍ପ ବିଶ୍ୱ ନେତାମାନଙ୍କୁ କହିଛନ୍ତି।
କାମ୍ବୋଡିଆ-ଥାଇଲ୍ୟାଣ୍ଡ, ସର୍ବିଆ, କଙ୍ଗୋ-ରୱାଣ୍ଡା, ପାକିସ୍ତାନ-ଭାରତ, ଇସ୍ରାଏଲ-ଇରାନ, ଇଜିପ୍ଟ-ଇଥିଓପିଆ ଓ ଆର୍ମେନିଆ-ଆଜରବୈଜାନ ଭଳି ସଂଘର୍ଷରେ ତାଙ୍କ ଭୂମିକାର ଉଲ୍ଲେଖ କରିଛନ୍ତି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯାହା ଜାତିସଂଘ କରିବା କଥା ତାହା ସେ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଜାତିସଂଘ ସାଧାରଣ ଅଧିବେଶନରେ ଭାଷଣ ଦେଇ ଏହି ବୈଶ୍ବିକ ସଂସ୍ଥାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ଶେଷ ପାଇଁ ଜାତିସଂଘ କେବେ ବି ସହଯୋଗ କରିବାକୁ ପ୍ରୟାସ କରିନାହିଁ। ସେ ୭ ରାଷ୍ଟ୍ରର ନେତାଙ୍କ ସହ ଯୋଗାଯୋଗ କରିଛନ୍ତି। କିନ୍ତୁ ଜାତିସଂଘଠାରୁ ଗୋଟିଏ କଲ୍ ବି ପାଇନାହାନ୍ତି। ସେ କହିଛନ୍ତି, ଜାତିସଂଘ କେବଳ କଡ଼ା ଚିଠି ଲେଖି ଜାଣିଛି। ଜାତିସଂଘ କେବଳ ଫମ୍ପା କଥା କହୁଛି। କିନ୍ତୁ ଫମ୍ପା କଥାରେ ଯୁଦ୍ଧର ସମାଧାନ ହୋଇପାରିବନି।
ସେ ଜାତିସଂଘଠାରୁ କେବଳ ୨ଟି ଜିନିଷ ପାଇଛନ୍ତି। ତାହା ହେଉଛି ଖରାପ୍ ଏସ୍କାଲେଟର ଏବଂ ଭଙ୍ଗା ଟେଲିପ୍ରମ୍ପଟର। ଜାତିସଂଘ ମୁଖ୍ୟାଳୟର ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଟ୍ରମ୍ପ ଏବଂ ମେଲାନିଆ ଏସ୍କାଲେଟର୍ରେ ଚଢ଼ିବା ସମୟରେ ଏହା ହଠାତ୍ ବନ୍ଦ ହୋଇଗଲା। ସେହିଭଳି ଟ୍ରମ୍ପ ଭାଷଣ ଆରମ୍ଭ କରିବା ସମୟରେ ଟେଲିପ୍ରମ୍ପଟର ମଧ୍ୟ ଫେଲ୍ ମାରିଲା। ଏହାପରେ ଟ୍ରମ୍ପ କାଗଜରୁ ତାଙ୍କ ଭାଷଣ ପଢ଼ିଥିଲେ। ଉକ୍ତ ୨ଟି ବିଷୟକୁ ନେଇ ଟ୍ରମ୍ପ ତାଙ୍କ ଭାଷଣରେ ଜାତିସଂଘର କାର୍ଯ୍ୟ ସ୍ବରୂପକୁ ପଦାରେ ପକାଇଥିଲେ।












Click it and Unblock the Notifications