ଯୁଦ୍ଧ ଜାରି ରହିଲେ ୯ ଦିନରେ ଖାଲି ହୋଇଯିବ ଦେଶର ସମସ୍ତ ତୈଳ ଟାଙ୍କି, ତେଲ ଭର୍ତ୍ତି ପାଇଁ ଭାରତର ଯୋଜନା
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ପରିସ୍ଥିତି ଯୋଗୁ ଅଶୋଧିତ ତୈଳ ଦର ଆକାଶ ଛୁଆଁ ହୋଇଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 105 ଡ଼ଲାର ହୋଇଛି। ଦେଶରେ ଏହା ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରିବା ଆଶଙ୍କା ରହିଛି, କାରଣ, ତୈଳ କ୍ଷେତ୍ରରେ ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ 80 ପ୍ରତିଶତ ନିର୍ଭର କରୁଛି ବାହାର ଦେଶ ଉପରେ । ଏମିତିରେ ଦେଶର ତୈଳ ଭଣ୍ଡାର ଗୁଡିକ ତୁରନ୍ତ ଭର୍ତ୍ତି କରିବା ପାଇଁ ଚାହୁଁଛନ୍ତି କେନ୍ଦ୍ର ସରକାର। ୟୁକ୍ରେନ ସହ ଯୁଦ୍ଧ ପରିସ୍ଥିତି ପରେ ଗୁରୁବାର ସୁଦ୍ଧା ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପହଞ୍ଚିଛି 105.8 ଡ଼ଲାରରେ । 2014 ପରେ ଏହା ସବୁଠାରୁ ଅଧିକ। ଚଳିତ ମସିହା ଆରମ୍ଭରୁ ଅନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଥିଲା 100 ଡ଼ଲାରରୁ କମ। ଗତ ଦୁଇମାସ ମଧ୍ୟରେ ଏହା 22 ଡ଼ଲାର ବୃଦ୍ଧି ପାଇଛି ।

9 ଦିନରେ ଖାଲି ହୋଇଯିବ ସମସ୍ତ ତେଲ ଟାଙ୍କି:
ସମ୍ଭାବ୍ୟ ତୈଳ ସଙ୍କଟର ମୁକାବିଲା ପାଇଁ ଭାରତ ନିଜର ଖାଲି ରହିଥିବା ଟାଙ୍କି ଗୁଡିକ ଭର୍ତ୍ତି କରିବାକୁ ଯୋଜନା ଆରମ୍ଭ କରିଛି। ଦେଶରେ ରହିଥିବା ତୈଳ ଭଣ୍ଡାର ଗୁଡିକରେ 39.13 ନିୟୁତ ବ୍ୟାରେଲ ତେଲ ଗଚ୍ଛିତ ରହିପାରିବ। ଏହି ସମସ୍ତ ଟାଙ୍କି 9 ଦିନ ପର୍ଯ୍ୟନ୍ତ ତୈଳ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହେବ। ଏହା ପରେ ସମସ୍ତ ଟାଙ୍କି ଖାଲି ହୋଇଯିବ। ଏହା ଫଳରେ ଦେଶରେ ଆର୍ଥିକ ପରିସ୍ଥିତି ଉପରେ ଗୁରୁତର ସଙ୍କଟ ଆଣିବା ସମ୍ଭାବନା ରହିଛି। ରୁଷର ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ସିଧା ସଳଖ ପ୍ରଭାବ ପଡିଛି ଷ୍ଟକ ମାର୍କେଟ ଉପରେ । ଗତକାଲି ଠାରୁ ଷ୍ଟକ ବଜାର ହ୍ରାସ ପାଇବାରେ ଲାଗିଛି।












Click it and Unblock the Notifications