ୟୁକ୍ରେନ ଉପରେ ରୁଷର ପୁଣି ପ୍ରଚଣ୍ଡ ଆକ୍ରମଣ:ଖସିଲା ୟୁକ୍ରେନର ଏଫ୍-୧୬ ଜେଟ୍
ୟୁକ୍ରେନ ଉପରେ ଭୟାନକ ଆକ୍ରମଣ କରିଛି ରୁଷ୍। ଗତରାତିରେ ହୋଇଥିବା ଆକ୍ରମଣରେ ବ୍ୟାପକ ଧ୍ବଂସଲୀଳା ଘଟିଛି। ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ରୁଷ୍ର ସବୁଠାରୁ ବଡ଼ ଆକାଶମାର୍ଗ ଆକ୍ରମଣ। ଏହି ଆକ୍ରମଣରେ ୟୁକ୍ରେନର ଏକ ଏଫ୍-୧୬ ଲଢୁଆ ବିମାନକୁ ରୁଷ୍ ଖସାଇ ଦେଇଛି ଓ ଏହାର ପାଇଲଟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି କହିଛନ୍ତି, ରୁଷ୍ ଗତରାତିରେ ୪୭୭ଟି ଡ୍ରୋନ୍ ଓ ୬୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି।
ଏହା ସହିତ ୟୁକ୍ରେନ ଉପରେ ଲଗାତାର ବିମାନ ଆକ୍ରମଣ ଜାରି ରହିଥିବାରୁ ସ୍ଥିତି ଅତି ସାଂଘାତିକ ରୂପ ନେଇଛି ବୋଲି ସେ କହିଛନ୍ତି। ଆମେରିକା ଓ ଅନ୍ୟ ପଶ୍ଚିମ ସହଯୋଗୀ ରାଷ୍ଟ୍ରମାନେ ଜରୁରୀ ସହାୟତା କରିବାକୁ ଜେଲେନସ୍କି ନିବେଦନ କରିଛନ୍ତି। ଉନ୍ନତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନ ମିଳିଲେ ରୁଷ୍ର ଧ୍ବଂସଲୀଳାକୁ ରୋକିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି ଆମେରିକାକୁ କହିଛନ୍ତି।
ଗତରାତିରେ ରୁଷ୍ ଆକ୍ରମଣ ଅତି ଭୟାନକ ଥିଲା ଏବଂ ବିଭିନ୍ନ ସହରରେ ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର କରାଯାଇଥିଲା। ଏହି ଆକ୍ରମଣରେ ଅନେକ ସରକାରୀ ପ୍ରତିଷ୍ଠାନ ମାଟିରେ ମିଶିଯାଇଥିବା ବେଳେ ବହୁ ସଂଖ୍ୟାରେ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି।ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବାନୁଯାୟୀ, ରୁଷ୍ ବ୍ୟବହାର କରୁଥିବା ଅଧିକାଂଶ ଡ୍ରୋନ୍ ଇରାନ ନିର୍ମିତ ଆତ୍ମଘାତୀ 'ସାହିଦ୍' ଡ୍ରୋନ୍ ଥିଲା ଏବଂ ଏହା ଆବାସିକ ଅଞ୍ଚଳରେ କ୍ଷୟକ୍ଷତି ବଢ଼ାଇ ଦେଇଛି।

ଶତାଧିକ ସ୍ଥାନରେ ସିଧାସଳଖ ଜନବସତିକୁ ଟାର୍ଗେଟ୍ କରାଯିବାରୁ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ବାୟୁସେନା କହିଛି ଯେ ସେମାନେ ୨୪୯ଟି ଡ୍ରୋନ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ଡ୍ରୋନ୍ଗୁଡ଼ିକ ସେମାନଙ୍କ ଟାର୍ଗେଟ୍ରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ବେସାମରିକ ଭିତ୍ତିଭୂମି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେନା କହିଛି।
ୟୁକ୍ରେନର ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରି ଇହନାତ୍ ଏଏଫପିକୁ କହିଛନ୍ତି ଯେ ରାତିରେ ହୋଇଥିବା ଏହି ଆକ୍ରମଣରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ସାମିଲ ଥିଲା। ୟୁକ୍ରେନର ପଶ୍ଚିମଭାଗ ସମେତ ସମଗ୍ର ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା ଏବଂ ଏ ବାବଦ କ୍ଷୟକ୍ଷତିର ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ରୁଷ୍ ୟୁକ୍ରେନ ଉପରେ ୧୨୭୦ଟି ଡ୍ରୋନ୍, ୧୧୪ଟି କ୍ଷେପଣାସ୍ତ୍ର ଓ ପ୍ରାୟ ୧୧୦୦ ଗ୍ଲାଇଡ୍ ବୋମା ନିକ୍ଷେପ କରିଥିବା ବେଳେ ଏଥିରୁ ପ୍ରାୟ ୫୦ ପ୍ରତିଶତ ଅସ୍ତ୍ରକୁ ଅଟକାଇବାରେ ୟୁକ୍ରେନ ବିଫଳ ହୋଇଛି। ୟୁକ୍ରେନର ସାମରିକ ଡିପୋ, ବିମାନଘାଟି ଏବଂ ପଶ୍ଚିମ ରାଷ୍ଟ୍ରମାନଙ୍କରୁ ମିଳିଥିବା ଯୁଦ୍ଧାସ୍ତ୍ରକୁ ଟାର୍ଗେଟ କରି ରୁଷ୍ ଭୀଷଣ ଆକ୍ରମଣ ଚଳାଇଛି।












Click it and Unblock the Notifications