ଜିତିଲେ ଟ୍ରମ୍ପ, ଏଲନ ମସ୍କ୍ ଆୟ କଲେ ଗୋଟିଏ ଦିନରେ ୨ ଲକ୍ଷ କୋଟି
ନୂଆଦିଲ୍ଲୀ : ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । ତାଙ୍କୁ ମୋଟ ୫୩୮ ଆସନ ମଧ୍ୟରୁ ୨୯୨ ମିଳିଛି । ଯେବେ କି ବହୁମତ ପାଇଁ ୨୭୦ ଦରକାର ଥିଲା । ଭୋଟ ଫଳ ଆଜି ଯଦିଓ ମୋଟାମୋଟି ଭାବେ ସ୍ପଷ୍ଟ ହୋଇଯାଇଛି, କିନ୍ତୁ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ ।
ଗତକାଲି ଜିତିବା ପରେ ଖୁସି ବ୍ୟକ୍ତ କରି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କରିବା ସହିତ ତାଙ୍କୁ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏ ବିଜୟ ଐତିହାସିକ । ଏପରି ଜୋସ୍ ଦେଖିନାହିଁ । ଆମର ଅବିଶ୍ୱସନୀୟ ବିଜୟ ହୋଇଛି । ସବୁ ଅସମ୍ଭବକୁ ସମ୍ଭବ କରିଛି ଆମେରିକା । ଆମେରିକାକୁ ମହାନ ରାଷ୍ଟ୍ର ବନାଇବି । ସିନେଟରେ ଆମର ପୁଣି ଥରେ କଣ୍ଟ୍ରୋଲ । ଏହି ବିଜୟ ଆମେରିକାବାସୀଙ୍କର । ଆମେରିକାର ଭବିଷ୍ୟତ ପାଇଁ ଲଢିବି ବୋଲି କହିଥିଲେ ।

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଭାରତ ସମେତ ବିଶ୍ୱର ବିଭିନ୍ନ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ସେପଟେ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ଏଲନ ମସ୍କ ମାଲାମାଲ ହୋଇଯାଇଛନ୍ତି । କାରଣ ୨୪ ଘଣ୍ଟାରେ ତାଙ୍କ କମ୍ପାନିର ସେୟାର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ସେ ପ୍ରାୟ ୨୬୦୦ କୋଟି ଡଲାର ବା ୨ ଲକ୍ଷ କୋଟି ଟଙ୍କା ଆୟ କରିଦେଇଛନ୍ତି । ଏହାର କାରଣ ହେଉଛି ନିର୍ବାଚନ ପ୍ରଚାର ବେଳେ ମସ୍କ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ । ଏପରିକି ନିର୍ବାଚନ ପ୍ରଚାର ପାଇଁ ୧୩୦ ନିୟୁତ ଡଲାର ଦାନ କରିଥିଲେ । ଏବେ ଟ୍ରମ୍ପ ଜିତିବା ପରେ ଆମେରିକୀୟ ରାଜନୀତିରେ ମସ୍କଙ୍କ ପ୍ରଭାବ ବଢିବାର ସମ୍ଭାବନା ରହିଛି ।












Click it and Unblock the Notifications