ଟ୍ରମ୍ପଙ୍କ ସ୍ଥଳସେନା ଅଭିଯାନ ଯୋଜନା
ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ଏବେ ସୁଦ୍ଧା କ୍ଷେପଣାସ୍ତ୍ର, ଡ୍ରୋନ ଓ ବୋମା ବ୍ୟବହାର କରାଯାଇଛି। ଉଭୟ ଦେଶ ଇରାନ ଉପରେ ଆକାଶ ମାର୍ଗରୁ ହିଁ ଆକ୍ରମଣ ଚଳାଇଛନ୍ତି। ଏବେ ଇରାନ ବିରୋଧରେ ସ୍ଥଳସେନା ଅଭିଯାନ ଚଳାଇବାକୁ ଆମେରିକା ଯୋଜନା କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ବିଶେଷଜ୍ଞଙ୍କ ମତାମତ ଲୋଡୁଛନ୍ତି। ଟ୍ରମ୍ପଙ୍କ ଇଚ୍ଛା ଇରାନର କିଛି ଅଞ୍ଚଳରେ ଆମେରିକା ସେନାକୁ ମୁତୟନ କରାଯାଉ। ମୁତୟନ ହେବାକୁ ଥିବା ସୈନ୍ୟଙ୍କୁ ଏକ ନିର୍ଦ୍ଦିଷ୍ଟ ମିଶନରେ ନିୟୋଜିତ କରାଯିବ। ଅର୍ଥାତ୍ ଆମେରିକା ସୈନ୍ୟମାନେ ଇରାନ ପରମାଣୁ କେନ୍ଦ୍ରଗୁଡିକୁ ନିଜ ନିୟନ୍ତ୍ରଣକୁ ନେବେ। ଇରାନ ପାଖରେ ଥିବା ପ୍ରକ୍ରିୟାକୃତ ୟୁରାନିୟମ୍କୁ ନଷ୍ଟ କରିବା କିମ୍ବା ନିଜ କବଜାକୁ ନେବା। ଇରାନ ପାଖରେ ପ୍ରାୟ ୪୫୦ କିଲୋଗ୍ରାମର ୟୁରାନିୟମ୍ (୬୦% ଶୁଦ୍ଧତା) ଥିବା ଅନୁମାନ କରାଯାଉଛି। ଯାହାକୁ ଅତି କମ୍ ସମୟ ମଧ୍ୟରେ ପରମାଣୁ ଅସ୍ତ୍ରରେ ପରିଣତ କରାଯାଇପାରିବ। ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ୟୁରାନିୟମ୍ ସୁରକ୍ଷିତ କରିବା ପାଇଁ ସେଠାକୁ ସୈନ୍ୟ ପଠାଯାଇ ତାକୁ ଆଣିବାକୁ ପଡ଼ିବ।

ଇରାନର ଅଧିକାଂଶ ପରମାଣୁ କେନ୍ଦ୍ର ପାହାଡ଼ ତଳେ ଏବଂ ଭୂପୃଷ୍ଠର ଅତି ଗଭୀରରେ ଅବସ୍ଥିତ। ଯାହାକୁ କେବଳ ମିସାଇଲ୍ ସାହାଯ୍ୟରେ ନଷ୍ଟ କରିବା କଷ୍ଟକର। ଏପରିସ୍ଥଳରେ ସ୍ଥଳସେନାର ମୁତୟନ ଆବଶ୍ୟକ। ନତାଞ୍ଜ ଇରାନର ସବୁଠାରୁ ବଡ଼ ୟୁରାନିୟମ୍ ସମୃଦ୍ଧକରଣ କେନ୍ଦ୍ର। ଏହାର ଏକ ବଡ଼ ଅଂଶ ଭୂପୃଷ୍ଠ ତଳେ ଅଛି। ସେହିପରି ଫୋର୍ଡୋ କେନ୍ଦ୍ରଟି ଏକ ପାହାଡ଼ ଭିତରେ ଅତି ଗଭୀରରେ ଅବସ୍ଥିତ। ଏଠାରେ ହିଁ ଇରାନ ୬୦% ପର୍ଯ୍ୟନ୍ତ ଶୁଦ୍ଧ ୟୁରାନିୟମ୍ ପ୍ରସ୍ତୁତ କରୁଛି। ଆମେରିକାର ସ୍ପେସାଲ୍ ଫୋର୍ସ ଏଠାକୁ ପ୍ରବେଶ କରିବା ସବୁଠାରୁ ବଡ଼ ଆହ୍ୱାନ ହେବ। ସ୍ଥଳସେନା ଅଭିଯାନର ଉଦ୍ଦେଶ୍ୟ ହେଉଛି ପରମାଣୁ କେନ୍ଦ୍ରରୁ ୟୁରାନିୟମ୍କୁ ବାହାର କରି ଆଣିବା କିମ୍ବା ଏହାକୁ ପରମାଣୁ କେନ୍ଦ୍ର ମଧ୍ୟରେ ନଷ୍ଟ କରିଦେବା। ଆମେରିକାର ସ୍ବତନ୍ତ୍ର ସ୍ଥଳ ସେନା ଓ ପରମାଣୁ ବିଶେଷଜ୍ଞମାନେ ସେଠାକୁ ଯାଇ ୪୫୦ କିଲୋଗ୍ରାମର ସମୃଦ୍ଧ ୟୁରାନିୟମକୁ ଜବତ କରି ଇରାନ ବାହାରକୁ ଆଣିବେ। ଯଦି ୟୁରାନିୟମ୍ ବାହାରକୁ ଆଣିବା ସମ୍ଭବ ନହୁଏ, ତେବେ ପରମାଣୁ ବୈଜ୍ଞାନିକମାନେ ସେଠାରେ ହିଁ କେମିକାଲ୍ ବ୍ୟବହାର କରି ୟୁରାନିୟମର ଶୁଦ୍ଧତାକୁ କମାଇ ଦେବେ। ଫଳରେ ତାହା ଆଉ ପରମାଣୁ ବୋମା ତିଆରିରେ ବ୍ୟବହାର ହୋଇପାରିବ ନାହିଁ। ତେବେ ଏହି ଅପରେସନ୍ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଅନ୍ୟପଟେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପରମାଣୁ କେନ୍ଦ୍ରଗୁଡ଼ିକୁ କଡ଼ା ସୁରକ୍ଷା ଦେଉଛନ୍ତି। ସ୍ଥଳଯୁଦ୍ଧରେ ଆମେରିକୀୟ ସୈନ୍ୟଙ୍କ ପାଇଁ ବଡ଼ ଧରଣର କ୍ଷତି ହେବାର ଭୟ ରହିଛି। ସ୍ଥଳଯୁଦ୍ଧରେ ଯଦି ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୁଏ, ତେବେ ସେଠାରୁ ବିଷାକ୍ତ ବିକିରଣ ବାହାରି ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ।












Click it and Unblock the Notifications